ବିନା ଫାର୍ମାସିଷ୍ଟରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୧୨ା୯(ଅରୁଣ ସାହୁ): ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୀନରେ ଥିବା ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ର ବିନା ଫାର୍ମାସିଷ୍ଟରେ ଚାଲିଛି। ଫଳରେ ରୋଗୀଙ୍କୁ ଔଷଧ ବଣ୍ଟନ, ଜରୁରୀକାଳୀନ ସେବା ପ୍ରଦାନରେ ଏବେ ବ୍ୟତିକ୍ରମ ଦେଖାଯାଇଛି।
ସିମନବାଡି ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କ ନାମରେ ଏକ ଅଭିଯୋଗ ହୋଇଥିବା ଦର୍ଶାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାଇକିଆ ବ୍ଲକ ସୁଗଡ଼ବାଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଗଷ୍ଟ ୪ରେ ଡେପୁଟେସନ କରିଥିଲେ। ତାଙ୍କୁ ରାତିଅଧିଆ ଏଠାରୁ ରିଲିଭ କରାଯାଇଥିଲା କିନ୍ତୁ ଏବେ ଡେପୁଟେସନ ବାତିଲ କରାଯାଇଥିଲେ ସୁଦ୍ଧା ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କୁ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରେଇବାରେ ବିଳମ୍ବ କରାଯାଉଛି। ଅଞ୍ଚଳରେ ଲୋକଙ୍କୁ ଉତ୍ତମ ସେବା ଯୋଗାଉଥିବା ଫାର୍ମାସିଷ୍ଟ ଜଣକ ସୁଗଡବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ସେଠାକାର କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନ କରାଯାଇଥିଲା । କିନ୍ତୁ ସେ କାର୍ଯ୍ୟରେ ଯୋଗଦେବା ପରେ ଦୀର୍ଘ ଦିନ ହେଲା ଛୁଟିରେ ଯାଇଛନ୍ତି । ଫଳରେ ଏବେ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ଠିକ ସେବା ମିଳିନାହିଁ। ସିମନବାଡି ଜନ ସାଧାରଣ ଓ ୫ଟି ପଞ୍ଚାୟତର ଲୋକପ୍ରତିନିଧିମାନେ ଜିଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟ ଫୁଲବାଣୀ ଯାଇ ଫାର୍ମାସିଷ୍ଟ ସୁଶାନ୍ତ ସାହୁଙ୍କୁ ଫେରେଇବା ପାଇଁ ନିବେଦନ କରିଥିଲେ। ପରେ ଜିଲା ମୁଖ୍ୟାଳୟରୁ ଏକ ୪ ଜଣିଆ ତଦନ୍ତକାରୀ ଟିମ ଏଡିମଓ ପ୍ରସନ୍ନ ତ୍ରିପାଠୀଙ୍କ ନେତୃତ୍ୱରେ ଆସି ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ ପରେ ସୁଶାନ୍ତଙ୍କ ବିରୋଧରେ କେହି ମିଥ୍ୟା ଅଭିଯୋଗ କରିଥିବା ଜଣାପଡିବା ପରେ ତାଙ୍କୁ ପୁଣି ଚଳିତ ୧ରେ ଡେପୁଟେସନକୁ ବାତିଲ କରାଯାଇଥିଲା ଓ ଛୁଟିରେ ଥିବା ଫାର୍ମାସିଷ୍ଟଙ୍କୁ ବାଲିଗୁଡା ବଦଳି କରାଯାଇଥିଲା। ଡେପୁଟେସନ ବାତିଲର ୧୧ ଦିନ ବିତିଯାଇଛି ହେଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ ଫାର୍ମାସିଷ୍ଟ ସୁଶାନ୍ତଙ୍କ ଡେପୁଟେସନକୁ ବାତିଲ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ତାଙ୍କୁ ରିଲିଭ କରାଯାଉନାହିଁ ଏ ନେଇ ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ରିଲିଭ କରିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ତାଙ୍କ ପରାମର୍ଶକୁ ଗ୍ରହଣ କରାଯାଇନାହିଁ। ଫଳରେ ସିମନବାଡ଼ିରେ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇ ଆନ୍ଦୋଳନ ପାଇଁ ବାଧ୍ୟ ହେବୁ ବୋଲି ସିମନବାଡି ସରପଞ୍ଚ ଅମିତା ପ୍ରଧାନ, ପ୍ରତିନିଧି ପରମେ ପ୍ରଧାନ, କେଦାର ନାଥ ସାହୁ, କେ. ମନବୋଧ ନାୟକ, ଧନେଶ୍ୱର ବାଡ଼ତିଆ, ସାଧୁ ନାୟକ, ମୁନା ଖାନ,ମଞ୍ଜୟ ଶୋଭାସୁନ୍ଦର, ଜଳେଶ୍ୱର ପ୍ରଧାନ ପ୍ରମୁଖ କହିଛନ୍ତି। ଏ ନେଇ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରସର ଇନଚାର୍ଜ ଡାକ୍ତର ଅଭିନାଶ କଂହରଙ୍କ ପଚାରିବାରୁ ଫାର୍ମାସିଷ୍ଟ ଛୁଟିରେ ରହିଛନ୍ତି ଔଷଧ ବଣ୍ଟନରେ କୌଣସି ସମସ୍ୟା ହେଉନାହିଁ ବୋଲି ସେ କହିଛନ୍ତି। ଫାର୍ମାସିଷ୍ଟ ସୁଶାନ୍ତଙ୍କୁ କେଉଁ କାରଣରୁ ରିଲିଭ କରାଯାଇନାହିଁ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରି ବୁଝିବାରୁ ସେ କହୁଛନ୍ତି ତାଙ୍କୁ ତୁରନ୍ତ ରିଲିଭ କରିବାକୁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ କୁହାଯାଇଛି। ସେପଟେ ସୁଶାନ୍ତ କହିଛନ୍ତି ଯେ ତାଙ୍କ ଡେପୁଟେସନକୁ ବାତିଲ କରାଯିବା ସତ୍ତ୍ୱେ ତାଙ୍କୁ ରିଲିଭ କରାଯାଉନାହି୍ୟ।