ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ନିର୍ଦ୍ଦେଶ ଦେଇଛନ୍ତି।
ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ସରିବା ପରେ ମଧ୍ୟ କେତେକ ବିଭାଗର ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁ ଏହାକୁ ହସ୍ତାନ୍ତର କରାଯାଇପାରିନାହିଁ। ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଏ ନେଇ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା।
ବିଧାୟକ ନାୟକ ଏହି ସୂଚନା ପାଇ ରବିବାର ସୁନ୍ଦରପୁର ଗ୍ରାମକୁ ଯାଇ ନବନିର୍ମିତ ଉକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ହସ୍ତାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ପରିଦର୍ଶନ କରିଥିଲେ। ଯଥାଶୀଘ୍ର ସ୍ବାସ୍ଥ୍ୟ ବିଭାଗକୁ କୋଠା ହସ୍ତାନ୍ତର କରି ଜନସାଧାରଣଙ୍କ ସେବାରେ ସମର୍ପିତ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଆଗାମୀ ୨୫ ଦିନ ମଧ୍ୟରେ ଏହା ଯେଭଳି ଉଦଘାଟନ ହେବ ସେ ନେଇ ବିଧାୟକ ସମସ୍ତ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ଆଲୋଚନା ବେଳେ ବିଧାୟକଙ୍କ ସହିତ ବ୍ରହ୍ମପୁର ଏମ୍ପି ପ୍ରତିନିଧି ଆର. ସନ୍ତୋଷ ରେଡ୍ଡୀ, ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ସ୍ବାଧୀନ କୁମାର ରଥ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ୧।
ସୂଚନାଯୋଗ୍ୟ, ସୁନ୍ଦରପୁର ପଞ୍ଚାୟତରେ ୧ କୋଟିରୁ ଅଧିକା ଟଙ୍କା ବ୍ୟୟରେ ନିର୍ମିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୋଠାର ସମସ୍ତ କାର୍ଯ ସରିଛି। ହେଲେ ଏହା ହସ୍ତାନ୍ତର କରାଯାଇ ନ ଥିବାରୁ ଗ୍ରାମର ଏକ ପୁରୁଣା କୋଠାରେ ସ୍ବାସ୍ଥ୍ୟସେବା ଚାଲିଛି l