ରାଜଧାନୀରେ ବଢ଼ୁଛି ଆରୋଗ୍ୟ ହାର

ଭୁବନେଶ୍ୱର,୧୫।୯ (ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତ ୩ଦିନ ହେବ କ୍ରମାଗତ ଭାବେ ପଜିଟିଭ୍‌ ହାର କମୁଥିବା ଓ ସୁସ୍ଥ ହାର ବୃଦ୍ଧି ପାଉଥିବା ଦେଖିବାକୁ ମିିଳିଛି। ଗତ ୩ ଦିନରେ ମୋଟ୍‌ ୧୨୨୬ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୧୭୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଯାହାକି ଭୁବନେଶ୍ୱରବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି। ପୂର୍ବାପେକ୍ଷା ଅଧିକ ଟେଷ୍ଟ ଓ ଥର୍ମାଲ ସ୍କ୍ରିିନିଂ ଫଳରେ ଏହା ସମ୍ଭବ ହୋଇପାରିଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ମୋଟ୍‌ ୩୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୧୩ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୨୩୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବର ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି। ପଟିଆ ଓ ଶୈଳଶ୍ରୀ ବିହାରରୁ ୫ ଜଣ ଲେଖାଏ, ରସୁଲଗଡ଼ ଓ ଝାରପଡ଼ାରୁ ୪ ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଝାରପଡ଼ାରୁ ୧୦, ବରମୁଣ୍ଡା ଓ ପଳାସପଲ୍ଲୀରୁ ୬, ସୌଭାଗ୍ୟ ନଗରରୁ ୫, ବମିଖାଲ, ଚକେଇସିିଆଣି, ଝାରପଡ଼ା, ନୟାପଲ୍ଲୀ, ଶୈଳଶ୍ରୀ ବିହାର, ଶାସ୍ତ୍ରୀନଗର, ଗଙ୍ଗନଗର, ଅଶୋକ ନଗର, ଭିଏସ୍‌ଏସ୍‌ ନଗର, ଖଣ୍ଡଗିରି, କପିଳପ୍ରସାଦ ଏବଂ ପୁରୁଣା ଭୁବନେଶ୍ୱରରୁ ୪ ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୫୧ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ପଜିଟିଭ ସଂଖ୍ୟା ୧୬୫୯୧କୁ ବୃଦ୍ଧି ପାଇଛି। ବିଏମ୍‌ସି ଅଞ୍ଚଳରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୬୧୩ ଥିବାବେଳେ ସୋମବାର ୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ସୋମବାର ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ସୁସ୍ଥ ସଂଖ୍ୟା ୧୧୯୦୧କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୬୪ ଛୁଇଁଛି ବୋଲି ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।