ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୂରାଇ ଦେଲେ ପ୍ରଧାନଶିକ୍ଷକ: ସ୍କୁଲରେ ହାଇଡ୍ରାମା 

କଳିଙ୍ଗନଗର,୧୯।୪(ଶୁଭାଶିଷ ରାଉତ ):ପିଲାଙ୍କ ପ୍ୟାଣ୍ଟ ଭିତରେ ପ୍ରଧାନଶିକ୍ଷକ ପୂରାଇ ଦେଲେ  ବିଛୁଆତି।  ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲରେ ହୋଇଥଲା ହାଇଡ୍ରାମା। ସ୍କୁଲକୁ ଆସି ପ୍ରଧାନଶିକ୍ଷକଙ୍କୁ ପଚାରିବା ସହ ହୋହଲ୍ଲା କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି କ୍ଲଷ୍ଟରର ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀଙ୍କ ନାମରେ ହୋଇଥିଲା ଏଭଳି ଗୁରୁତର ଅଭିଯୋଗ। ଯାହାକୁ ନେଇ ଅଭିଭାବକମାନଙ୍କ ଦ୍ୱାରା କାଳିଆପାଣି ଥାନାରେ ଶିକ୍ଷକଙ୍କ ନାଁରେ ହୋଇଥିଲା ଲିଖିତ ଅଭିଯୋଗ। ଯେଉଁଥିରେ ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଓ କର୍ମକର୍ତ୍ତାମାନେ ହସ୍ତକ୍ଷେପ କରିଥିଲେ।
ତେବେ ଶିକ୍ଷକ ନିଜ ଦୋଷ ସ୍ବୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋଷ ସାମାଧାନ ହୋଇଥିବା ସୂଚନା ମିଳିଛି। ତେବେ ଏଭଳି ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ଶୃଙ୍ଖଳାଗତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରାଯାଇଛି। ସେପଟେ ସମୃକ୍ତ ପ୍ରଧାନ ଶିକ୍ଷକ ଗଣମାଧ୍ୟମ ନିକଟତେ ଘଟଣାକୁ  ଅସ୍ବୀକାର କରିଥିବା ବେଳେ ପୋଲିସ ମଧ୍ୟ ମାମଲାର ରଫାଦଫା କରି ନିରବଦ୍ରଷ୍ଟା ସାଜିଛି। ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କୌଣସି ଉତ୍ତର ଦେଉନାହାନ୍ତି।
Dharitri – Odisha’s No.1 Odia Daily

Share