ଲାଞ୍ଚ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ୨ ବର୍ଷ ଜେଲ

ସୁନ୍ଦରଗଡ଼,୧୯।୬(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସୋମବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ବଡ଼ଗାଁ ସ୍କୁଲ ଇନ୍ସପେକ୍ଟରଙ୍କ ଅଫିସରେ କାର୍ଯ୍ୟରତ ତତ୍କାଳୀନ ଶିକ୍ଷକ ମହେଶ୍ବର ତାଣ୍ଡିଆଙ୍କୁ ୨ ବର୍ଷ ଜେଲ ଦଣ୍ଡ ସହ ୨ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏହାସହ କୋର୍ଟ ଅଭିଯୁକ୍ତ ତାଣ୍ଡିଆଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ କରିଛନ୍ତି। ବର୍ତ୍ତମାନ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଲେଫ୍ରିପଡା ବ୍ଲକ ବେନିଢିପା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ବାପାଙ୍କ ପେନସନ କାଗଜପତ୍ର ପାଇଁ ଅଭିଯୁକ୍ତ ତାଣ୍ଡିଆ ଦେଢ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଫଳରେ ଅଭିଯୋଗକାରୀ ଏ ନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ୨୦୧୦ ଜାନୁଆରୀ ୩ତାରିଖରେ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଅଭିଯୋଗକାରୀଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶ୍ୟାମସୁନ୍ଦର ମିଶ୍ର ମାମଲା ପରିଚାଳନା କରୁଥିଲେ।