ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଡକେଣି ଗାଁର ଚୈତନ୍ୟ କହଁର। ଅନ୍ୟ ୪ ଗୁରୁତର ହେଲେ ପଙ୍କଜ ଜାନି, ସୁନ୍ଦରଗଡ଼ ଗ୍ରାମର କୃତିବାସ କହଁର, ଗୋପୀନାଥ ପ୍ରଧାନ, କବିରାଜ ମଲ୍ଲିକ।
ମିଳିଥିବା ସୂଚନା ମୁତାବକ, , ଚୈତନ୍ୟ, ପଙ୍କଜ ଜାନି ଓ କୃତିବାସ ଏକ ବାଇକ୍ (ଓଡି ୦୨ଜେ ୭୩୧୧) ଯୋଗେ ଫୁଲବାଣୀରୁ ଡକେଣି ଗାଁକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ମିଣିଆ ଅଞ୍ଚଳର ଗୋପୀନାଥ ଓ କବିରାଜ ଅନ୍ୟ ଏକ ବାଇକ୍ (ଓଡ଼ି ୧୨ଏଫ୍ ୨୨୮୦)ଯୋଗେ ଖଜୁରିପଡ଼ାରୁ ମିଣିଆ ଆଡ଼କୁ ଯାଉଥିଲେ।
ବିଲାବାଡ଼ି ବୁଲାଣି ନିକଟରେ ଗାଡ଼ି ଦ୍ୱୟ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୨ଟି ଯାକ ବାଇକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଖବର ପାଇ ଫୁଲବାଣୀ ଓ ଖଜୁରିପଡ଼ା ଅଗ୍ନିଶମ ବାହିନୀ ସମେତ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୪ ଜଣଙ୍କ ଚିକିତ୍ସା ଜାରି ରହିଛି। ଖଜୁରିପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।