ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେଶବ ନାୟକ। ଏହି ଦୁର୍ଘଟଣାରେ ଜଣେ ବରିଷ୍ଠ ନାଗରିକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଜଣେ ବରିଷ୍ଠ ନାଗରିକ ରାସ୍ତାକଡ଼ରେ ଥିବା ଏକ ଦୋକାନରୁ ବଜାର ସାରି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ବୋଲେରୋ ନିକଟକୁ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ବାଇକ୍ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ଏହାପରେ ବାଇକ୍ ଚାଳକ କେଶବ ନାୟକ ଭାରସାମ୍ୟ ହରାଇ ରାସ୍ତାରେ ଛିଡ଼ା ହୋଇଥିବା ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ବରିଷ୍ଠ ନାଗରିକଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଇଁତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଓ ଅନ୍ୟାନ୍ୟ ଦିଗ ନେଇ ପୋଲିସ ତଦନ୍ତ ଜାରି ରଖିଛି।

