କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ଆକ୍ରମଣ ଅଭିଯୋଗ: ଉଭୟପକ୍ଷରୁ ମାମଲା

ଆନନ୍ଦପୁର,୨୭ା୮(ସ୍ବ.ପ୍ର.): ବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ରଣକ୍ଷେତ୍ର ଭଳି ପରିସ୍ଥିତି ସୃଷ୍ଟି ହେବା ଚର୍ଚ୍ଚାର ପରିସରକୁ ଆସିଛି। କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କନିଷ୍ଠ ଶିକ୍ଷୟିତ୍ରୀ ଆହତ ହୋଇଥିବା ଘଟଣା ଏବେ ଘସିପୁରା ଥାନାରେ ପହଞ୍ଚିଛି। ଏଭଳି ଘଟଣା ଆନନ୍ଦପୁର ବ୍ଲକ ଡିହସାହି ପ୍ରାଥମିକ ବିଦ୍ୟାଳୟରେ। ଘଟଣା ଅନୁଯାୟୀ, ଡିହସାହି ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପଙ୍କଜିନୀ ସାହୁଙ୍କୁ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲିଲିପ୍ରିୟା ଯେନା ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଘସିପୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ଲିଲିପ୍ରିୟା କନିଷ୍ଠ ଶିକ୍ଷୟିତ୍ରୀଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା ଗାଳିଗୁଲଜ କରିବା ଭଳି ଘଟଣା ଘଟୁଥିବା ବେଳେ କନିଷ୍ଠ ଶିକ୍ଷୟିତ୍ରୀ ଏହାର ଅଡିଓ ରେକର୍ଡିଂ କରିଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଜାଣିପାରିବାରୁ ଶନିବାର ପଙ୍କଜିନୀଙ୍କୁ ମୋବାଇଲ ମାଗିଥିଲେ। ମୋବାଇଲ ନ ଦେବାରୁ ସେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଦେଖିବା ପରେ ସ୍କୁଲର ପାଚିକା ଏବଂ ଅନ୍ୟ କେତେକ ମହିଳା ଛଡ଼ାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗ୍ରାମବାସୀ ମଧ୍ୟ ମୁହଁ ଖୋଲିଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷୟିତ୍ରୀ ଏଭଳି କାର୍ଯ୍ୟକଳାପ ରହିଆସିଥିବା ଏବଂ ପୂର୍ବରୁ ଜଣେ ଶିକ୍ଷକ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପକୁ ଆଧାର କରି ଅନ୍ୟତ୍ର ବଦଳି ହୋଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏପରିକି ଲିଲିପ୍ରିୟା ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ନେବା ପରଠାରୁ ସ୍କୁଲରେ ଏଭଳି ବିଶୃଙ୍ଖଳା ଲାଗିରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ଗ୍ରାମବାସୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଛନ୍ତି। ତେବେ ଘଟଣାକୁ ନେଇ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟିତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ଅନ୍ୟପକ୍ଷରେ ଘଟଣାକୁ ନେଇ ଘସିପୁରା ଥାନାଧିକାରୀ ବିକ୍ରମ କେଶରୀ ଭୂୟାଁଙ୍କ ପଚାରିବାରୁ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି, ଉଭୟପକ୍ଷ ଘଟଣାର ସମାଧାନ ପାଇଁ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ବିବାଦୀୟ ପରିସ୍ଥିତିର ଆପୋଷ ସମାଧାନ ନ ହେଲେ ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱରେ ଥିବା ବିଏନ୍‌ ହାଇସ୍କୁଲ ପ୍ରଧାନଶିକ୍ଷକ ଉମାକାନ୍ତ ରାଉତଙ୍କୁ ପଚରାଯିବାରୁ ସମ୍ପୃକ୍ତ ସ୍କୁଲରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଥାନାରେ ଆପୋଷ ସମାଧାନ ହୋଇଥିବା ପ୍ରକାଶ କରିଛନ୍ତି।