ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ପିଟିଲେ

ବାଲିପାଟଣା,୨୨।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ କୃଷ୍ଣପୁର ମେଳଣ ପଡ଼ିଆରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ଚଢ଼ାଉ ବେଳେ ଆକ୍ରମଣର ଶିକାର ହୋଇଛି। ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡ଼ି ଛାଡି ପଳାଇଥିଲେ। ଖବର ପାଇ ବାଲିପାଟଣା ପୋଲିସ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡ଼ିଗୁଡ଼ିକୁ ଉଦ୍ଧାର କରିଛି। ଏହି ଘଟଣାରେ ଶନିବାର ପୋଲିସ କୃଷ୍ଣପୁର ଗଁାରେ ଚଢ଼ାଉ କରି ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
କି, ଶୁକ୍ରବାର କୃଷ୍ଣପୁର ଗଁା ମେଳଣ ପଡିଆରେ ଦ୍ୱିତୀୟ ରାତି ଯାତ୍ରା ହେଉଥିଲା। ସେଠାରେ ଜୁଆଖେଳ ହେଉଥିବା ସୂଚନା ପାଇ ରାତି ପ୍ରାୟ ୨ଟା ୩୦ରେ ସାଦା ପୋଷାକରେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ପହଞ୍ଚିଥିଲା। ଏହାପରେ ଜୁଆଖେଳ ପାଖରେ ଏକାଠି ହୋଇଥିବା ଲୋକଙ୍କୁ ଲାଠିରେ ପିଟିଥିଲା। କେତେଜଣ ଜୁଆ ଖେଳାଳିଙ୍କୁ ଧରି ଗାଡ଼ିରେ ବସାଇଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଉତ୍‌କ୍ଷିପ୍ତ ହୋଇ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ପରେ ପୋଲିସ କର୍ମଚାରୀ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇଥିଲେ। ମାତ୍ର ଲୋକେ ଖାତିର ନ କରି ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ପୋଲିସ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ପଳାଇ ଆସିଥିଲା। ଆକ୍ରମଣରେ ୬ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଶନିବାର କମିଶନରେଟ ପୋଲିସର ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପଲ, ଜୋନ୍‌-୪ ଏସିପି ପରେଶ କୁମାର ରାଉତ ଏବଂ ବାଲିଅନ୍ତା, ଧଉଳି, ପାହାଳ, ଏୟାରଫିଲ୍ଡ, ଲକ୍ଷ୍ମୀସାଗର ଆଦି ଥାନାର ଆଇଆଇସି ୨ ପ୍ଲାଟୁନ ଫୋର୍ସ ସହ ବାଲିପାଟଣା ଥାନା ସହାୟତାରେ କୃଷ୍ଣପୁର ଗ୍ରାମରେ ଚଢ଼ାଉ କରି ୨୪ ଜଣଙ୍କୁ ଉଠାଇ ନେଇଥିଲେ। ପରେ ପୋଲିସ ଏକ ମାମଲା (ନଂ.୧୩୧/୨୨) ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚଳାଇଛି।