ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ କୋଲକାତାରୁ ଗିରଫ

ବାଲେଶ୍ୱର ଅଫିସ,୨୭। ୭: ୧୫ କୋଟି ଟଙ୍କା ଚଳୁ କରି ଫେରାର ଥିବା ଜଣେ ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ରବିବାର କୋଲକାତାର ନ୍ୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଏସ୍‌/ଏସ୍‌ ମାସ୍‌ ଇନ୍‌ଫ୍ରା ରିୟଲିଟି ଲିମିଟେଡ୍‌ ଏବଂ ହ୍ୟୁମାନ୍‌ ୱେଲଫେୟାର କ୍ରେଡିଟ୍‌ ଆଣ୍ଡ ଥ୍ରିଫ୍ଟ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ପ୍ରତାପ କୁମାର ବିଶ୍ୱାଳ। ଗିରଫ ବିଶ୍ୱାଳଙ୍କୁ ପ୍ରଥମେ ପଶ୍ଚିମବଙ୍ଗର ୨୪ ପ୍ରଗଣା ସାଉଥ୍‌ ଅତିରିକ୍ତ ଚିଫ୍‌ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଥିଲା। ସୋମବାର ଅପରାହ୍ନରେ ବାଲେଶ୍ୱର ଓପିଆଇଡି କୋର୍ଟରେ ଇଓଡବ୍ଳ୍ୟୁ ତାଙ୍କୁ ହାଜର କରିଛି।
ଉକ୍ତ କମ୍ପାନୀ ଜମା ଉପରେ ଅଧିକ ସୁଧ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ଆକର୍ଷିତ କରିବା ସହ ଅନଧିକୃତ ଭାବରେ ବହୁ ନିବେଶକଙ୍କଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିବା ନେଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଶୁକଦେବ ହୋତା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ୩୦।୮।୨୦୧୯ରେ ଚିଟ୍‌ଫଣ୍ଡ ସଂସ୍ଥା ଚେୟାରମ୍ୟାନ୍‌ ବିଶ୍ୱାଳ ଓ ତାଙ୍କ ସଂସ୍ଥାର ୬ଜଣ ଡାଇରେକ୍ଟରଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖାରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଇଓଡବ୍ଳ୍ୟୁ ମାମଲା (ନଂ. ୧୬) ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧,୧୨୦-ବି ଆଇପିସି ଆର୍‌.ଡବ୍ଲ୍ୟୁ ସେକ୍ସନ ୬ ଅଫ୍‌ ଓପିଆଇଡ଼ି ଆକ୍ଟ ୨୦୧୧ରେ ମାମଲା ରୁଜୁ ହୋଇଥିଲା। ପରେ କାର୍ଯ୍ୟାଳୟ ବନ୍ଦ କରି ସମସ୍ତେ ଫେରାର ହୋଇଯାଇଥିଲେ।
ସୂଚନା ଅନୁଯାୟୀ, ୨୦୧୦ ସେପ୍ଟେମ୍ବରରେ ‘ଏସ୍‌/ଏସ୍‌ ମାସ୍‌ ଇନ୍‌ଫ୍ରା ରିୟଲିଟି ଲିମିଟେଡ୍‌’ କମ୍ପାନୀ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିଲା। ବରାସତ ପୋଲିସ ଷ୍ଟେଶନ, ୨୪ ପ୍ରଗଣା ଅଞ୍ଚଳରେ ଅଫିସ୍‌ ଖୋଲି ଚିଟ୍‌ଫଣ୍ଡ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ମଲ୍ଟିଷ୍ଟେଟ୍‌ କୋ-ଅପରେଟିଭ୍‌ ସୋସାଇଟି ଆକ୍ଟ-୨୦୧୨ ଅନୁସାରେ ଉକ୍ତ କମ୍ପାନୀର ନାମ ପରିବର୍ତ୍ତନ କରି ‘ହ୍ୟୁମାନ ୱେଲଫେୟାର କ୍ରେଡିଟ୍‌ ଆଣ୍ଡ ଥ୍ରିଫ୍ଟ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ’୍‌ ରଖାଯାଇଥିଲା। ନୂଆଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରେ ଏହି ନାମରେ କମ୍ପାନୀ ଖୋଲି ପ୍ରତାପ କୁମାର ବିଶ୍ୱାଳ ଏହାର ସଭାପତି ହୋଇଥିଲେ।