ନକଲି ଆଦିବାସୀ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିଲେ, ଅବସର ନେବାର ଦିନକ ପୂର୍ବରୁ ପଡିଲେ ଧରା

  • କର୍ଲାମୁଣ୍ଡା, ୨୯/୪ (ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକରେ କାର୍ଯ୍ୟରତ ଜନୈକ ନକଲି ଆଦିବାସୀ ପ୍ରଧାନ ଶିକ୍ଷକ ଅବସର ନେବା ଦିନକ ପୂର୍ବରୁ ପଛୁଆ ବର୍ଗର ବୋଲି ଜଣାପଡିବାକୁ ନକଲି ଆଦିବାସୀ ପ୍ରମାଣିତ ହେବା ପରେ ନକଲି ଆଦିବାସୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ସୂଚନା ମୁତାବିକ କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତ ପିପଲ ପଦର ଗ୍ରାମର (ସିଙ୍ଗାରିବାହାଲ)ର ଗନ୍ଧର୍ବ ସାହୁ(୫୯)ପିତା ସ୍ବର୍ଗତ ଧର୍ମୁ ସାହୁ ୧୯୬୩ରୁ ନିଜକୁ କନ୍ଧ ସମ୍ପ୍ରଦାୟର ବୋଲି ନିଜ ନାମକୁ ଗନ୍ଧର୍ବ ମାଝି ପିତା ଲାଲ ସାଏ ମାଝି ଦର୍ଶାଇ ଶିକ୍ଷକତା କରିଆସୁଥିଲେ। ଏ ସମ୍ବନ୍ଧରେ କଳାହାଣ୍ଡି ଆଦିବାସୀ ଯୁବ ସଂଗଠନ ଓ କଳାହାଣ୍ଡି ଜିଲା ଆଦିବାସୀ ସଂଘ ଦୀର୍ଘ ଦିନରୁ ନକଲି ଆଦିବାସୀଙ୍କ ଜାତିଗତ ପ୍ରମାଣ ପତ୍ର ସଂଗ୍ରହ ପାଇଁ ଅନବରତ ଚେଷ୍ଟା କରି ଆସୁଥିଲେ।

ତେବେ ଶନିବାର କେସିଙ୍ଗା ତହସିଲଦାର ଗନ୍ଧର୍ବ ମାଝି ନାମକ ଶିକ୍ଷକ (ତେଲି) ପଛୁଆ ବର୍ଗର ହୋଇଥିବାରୁ ତାଙ୍କ ଆଦିବାସୀ ଜାତି ପ୍ରମାଣ ପତ୍ରକୁ ଖାରଜ କରିଥିବା ଏକ ଦସ୍ତାବିଜ ଜିଲା ଆଦିବାସୀ ଯୁବ ସଂଗଠନ ସଭାପତି ଗଜପତି ମାଝି ଓ କର୍ଲାମୁଣ୍ଡା ବ୍ଳକ ଆଦିବାସୀ ଯୁବ ସଂଗଠନ ସଭାପତି ନନ୍ଦି କିଶୋର ଭୋଇଙ୍କୁ ଦେବା ପରେ ସଂଘ ତରଫରୁ ଜିଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝି ଓ କର୍ଲାମୁଣ୍ଡା ଯୁବ ଆଦିବାସୀ ସଂଘ ସଭାପତି ନନ୍ଦି କିଶୋର ଭୋଇ ଉକ୍ତ ନକଲି ଆଦିବାସୀ ଶିକ୍ଷକଙ୍କୁ ବହିଷ୍କାର ସହିତ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସରକାରଙ୍କ ଯାହା ନିୟମ ରହିଛି, ସେ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟ ପଟେ ନକଲି ଆଦିବାସୀ ଶିକ୍ଷକ ଗନ୍ଧର୍ବଙ୍କ ବିରୋଧରେ ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଜିଲା ଆଦିବାସୀ ଯୁବ ସଂଗଠନ ଓ ଜିଲା ଆଦିବାସୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।