ସ୍ତ୍ରୀଙ୍କ ତଣ୍ଟିଚିପି ରାସ୍ତାକଡ଼ରେ ଫିଙ୍ଗିଦେଲେ

ବାସୁଦେବପୁର, ୧୧।୧୦(ନାରାୟଣ ପ୍ରସାଦ ବାରିକ୍‌): ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗିଦେଲେ ସ୍ବାମୀ। ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତର ବାଗ୍‌ଦା ବିନାୟକପୁର ଗ୍ରାମରେ। ପରେ ଅଭିଯୁକ୍ତ ସ୍ବାମୀ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତ ମହିଳା ହେଲେ ରାଧାରାଣୀ ବେହେରା(୨୫)। ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ମଙ୍ଗଳବାର ପଞ୍ଚାୟତର ପ୍ରବେଶ ପଥ ରାସ୍ତାକଡ଼ରୁ ରାଧାରାଣୀଙ୍କ ମୃତଦେହ ପୋଲିସ ଜବତ କରିଛି। ଅଭିଯୁକ୍ତ ସ୍ବାମୀ ଦୀପକ ବେହେରାଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି। ଦୀପକ ରାଧାରାଣୀଙ୍କ ବେକକୁ ଗାମୁଛାରେ ଭିଡ଼ି ହତ୍ୟା କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛି।
୫ବର୍ଷ ପୂର୍ବେ ଖରିଦା ବିନାୟକପୁର ଗ୍ରାମର ଦିବାକର ବେହେରାଙ୍କ ଝିଅ ରାଧାରାଣୀଙ୍କ ସହ ଦୀପକଙ୍କର ପ୍ରେମବିବାହ ହୋଇଥିଲା। ସେମାନଙ୍କର ୩ବର୍ଷର ଏକ ଶିଶୁକନ୍ୟା ମଧ୍ୟ ଅଛି। ପ୍ରାୟ ୧ ମାସ ତଳେ ଦୀପକ ଓ ରାଧାରାଣୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ତାମିଲନାଡୁ ଯାଇଥିଲେ। ସେଠାରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଘରକୁ ଫେରିଆସିଥିଲେ। ସୋମବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଗଁାମୁଣ୍ଡ ଛକରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଉକ୍ତ ସ୍ଥାନରେ ଦୀପକ ଉତ୍ତେଜିତ ହୋଇ ଏକ ଗାମୁଛାରେ ରାଧାରାଣୀଙ୍କ ତଣ୍ଟି ଚିପି ମାରି ଦେଇଥିବା ସ୍ବୀକାର କରିଛନ୍ତି। ପରେ ଶିଶୁକନ୍ୟାକୁ ନିଜ ଘରେ ସମ୍ପର୍କୀୟଙ୍କ ପାଖରେ ଛାଡ଼ି ଥାନାରେ ଆତ୍ମସମର୍ପଣ କରିଥିଲେ। ଘଟଣାସ୍ଥଳରୁ ଦମ୍ପତିଙ୍କ ଆସବାବପତ୍ର ଓ ଲୁଗାପଟା ଭର୍ତ୍ତି ଏକ ଟ୍ରଲି ବ୍ୟାଗ୍‌ ପୋଲିସ ଜବତ କରିଛି। ଅପରପକ୍ଷେ ଏନେଇ ମୃତ ରାଧାରାଣୀଙ୍କ ବାପା ଦିବାକରଙ୍କ ଅଭିଯୋଗକ୍ରମେ ବାସୁଦେବପୁର ଥାନାରେ ଏକ ହତ୍ୟା ମାମଲା (ନଂ. ୫୭୦/୨୩) ରୁଜୁ ହୋଇଛି। ବିବାହ ପରେ ଅଧିକ ଯୌତୁକ ପାଇଁ ଶାଶୁଘର ଲୋକେ ରାଧାରାଣୀଙ୍କୁ ନିର୍ଯାତନା ଦେବା ସହ ଯୋଜନାବଦ୍ଧ ଭାବେ ସ୍ବାମୀ ଓ ପରିବାର ଲୋକ ତାଙ୍କୁ ମାରି ଫୋପାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି। ବାସୁଦେବପୁର ଥାନାଧିକାରୀ ଲୋପାମୁଦ୍ରା ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରିଛନ୍ତି।