ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ଯୁବତୀଙ୍କୁ ଲଭ ସେକ୍ସ ପରେ ପ୍ରତାରଣା ଅଭିଯୋଗରେ ନବରଙ୍ଗପୁର ସିଆରପିଏଫ କ୍ୟାମ୍ପରେ ଚାକିରି କରୁଥିବା ଜଣେ ଯବାନଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଛି। ସେ ହେଲେ ଜି.ଆୟୋଦି ରେଡ୍ଡୀ(୪୭)। ପୀଡ଼ିତା ଗତ ରବିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସଆଇ ସୋଫିଆ ମିଶ୍ର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କ ଡାକ୍ତରୀ ମାଇନା କରାଇବା ପରେ ମଙ୍ଗଳବାର ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧୮୬/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା -୬୯/୨୯୬/୩୫୧(୨)/୩୫୧(୪)/୩(୫) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୦୩ରେ ଅଭିଯୁକ୍ତ ଜି. ଆୟୋଦି ତାଙ୍କ ଗାଁର ଯୁବତୀଙ୍କ ସହ ସଂସ୍ପର୍ଶରେ ଆସିଥିଲେ। ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ଉଭୟେ ଭିନ୍ନ ଜାତିର ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ସୁସମ୍ପର୍କ ଗଢି ଉଠିଥିଲା। ଭବିଷ୍ୟତରେ ଉଭୟେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଓ ଦର୍ଶନୀୟ ସ୍ଥାନକୁ ଯାଇ ବୁଲାବୁଲି କରୁଥିଲେ। ସମ୍ପର୍କ ବଢିବା ପରେ ଗତ ୨୦୧୦ ଜାନୁୟାରୀ ୨୬ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଆୟୋଦି ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ଦେଖା କରିଥିଲେ।ଘରେ କେହି ନଥିବା ସୁଯୋଗ ନେଇ ରାତ୍ରୀଯାପନ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ବଳାତ୍କାର କରିଥିଲେ।ଗତ ୨୦୧୬ ଏପ୍ରିଲ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୭ ଟାରେ ଅନ୍ୟଏକ ଗାଁରେ ଥିବା ଯୁବତୀଙ୍କ ଘରକୁ ଯାଇ ପୁଣି ଶାରୀରିକ ସମ୍ପର୍କ ରଖିଥିଲେ । ପରେ ବିଭିନ୍ନ ପର୍ବ ପର୍ବାଣୀରେ ସେ ବିବାହ କରିବାର ପ୍ରତିଶ୍ରୁତି ଦେଇ ରୀତିମତ ଯୁବତୀଙ୍କ ସରଳତାର ସୁଯୋଗ ନେଇ ଶାରୀରିକ ସମ୍ପର୍କ ରଖୁଥିଲେ। ପରେ ଆୟୋଦି ଯୁବତୀଙ୍କ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରି ଅନ୍ୟତ୍ର ବିବାହ କରିଥିଲେ। ସାମାଜିକ ଲୋକ ଲଜ୍ଜା ଭୟରେ ଯୁବତୀ ଜଣଙ୍କ କାହାରିକୁ କିଛି କହିନଥିଲେ। ବିବାହ ପରେ ମଧ୍ୟ ତୁମକୁ ସ୍ତ୍ରୀର ମର୍ଯ୍ୟାଦା ଦେବି ବୋଲି ପ୍ରତିଶ୍ରୁତି ଦେଇ ଗତ ୨୦୨୫ ମେ ୨୫ ତାରିଖରେ ଆୟୋଦି ଜରୁରୀ କଥା ହେବାର ଅଛି କହି ଯୁବତୀଙ୍କୁ ଦିଗପହଣ୍ଡି ପୁଞ୍ଜିକଂୟା ସ୍ଥିତ ଏକ ଲଜିଂକୁ ଡକାଇ କଥାହେବା ବାହାନାରେ ତାଙ୍କୁ ଭୟଭୀତ କରାଇ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ତା’ ପୂର୍ବରୁ ଯୁବତୀଙ୍କୁ ବ୍ରହ୍ମପୁର ଡକାଇ ବିଭିନ୍ନ ଲଜିଂରେ ବଳାତ୍କାର ଶାରୀରିକ ସମ୍ପର୍କ ରଖିଥିଲେ। ଗତ ୨୦୨୫ ଡିସେମ୍ବର ୧୦ ତାରିଖରେ ଆୟୋଦି ତାଙ୍କ ମୋବାଇଲ ଫୋନ ଯୋଗେ ଯୁବତୀଙ୍କୁ ଫୋନ କରି ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ଯୁବତୀ ଜଣକ ବିବାହ କଥା ପଚାରିବାରୁ ସେ ମନା କରିଦେଇଥିଲେ। ଗତ ୫ ତାରିଖରେ ଆୟୋଦିଙ୍କ ସ୍ତ୍ରୀ ଜି. ଶିଳ୍ପା ରେଡ୍ଡୀ ତାଙ୍କ ଫୋନ ଯୋଗେ ଯୁବତୀଙ୍କୁ ଗାଳି କରି ତାଙ୍କ ସ୍ବାମୀ ଆୟୋଦିଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚେଷ୍ଟା କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଜଣକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।