୩ ବର୍ଷ ହେବ ନିଜେ ଚାକିରିରୁ ବିଦା: ଚାକିରି ଦେବା ନାଁରେ କରୁଥିଲେ ଠକେଇ

ଉଦଳା,୩୦ା୬(ସନ୍ତୋଷ କୁମାର ବାଚ୍ଛିନୀ): ଡାକ୍ତରଖାନାରେ ଚିକିରି କରାଇଦେବାକୁ କହି ଟଙ୍କା ଲୁଟୁଥିବା ଅଭିଯୋଗରେ ଉଦଳା ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉଦଳା ଏନ୍‌ଏସି ୪ ନଂ. ୱାର୍ଡର ରଜତ କୁମାର ପାତ୍ର। ଚାକିରି କରାଇଦେବାକୁ କହି ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଉଦଳା ଡାକ୍ତରଖାନାରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଡାକ୍ତରଖାନାରେ ଚାକିରି କରାଇଦେବାକୁ କହି ଦୀର୍ଘ ୫ ବର୍ଷ ହେବ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟରୁ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ମାତ୍ର ସେ ନିଜେ ୩ ବର୍ଷ ହେବ ଚାକିରିରୁ ବିଦା ହୋଇସାରିଲେଣି। ଚାକିରି ନ ଦେବାରୁ ଲୋକେ ଥାନାରେ ଏତଲା ଦେଇଥିଲେ। ଗିରଫ ଭୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଗୁରୁବାର ରାତିରେ ଘରକୁ ଆସିଥିବା ବେଳେ ଲୋକେ ଜାଣିପାରି ତାଙ୍କୁ ଅଟକାଇ ପୋଲିସ ଜିମା ଦେଇଥିଲେ। ଅନ୍ୟପକ୍ଷେ ଅଭିଯୁକ୍ତ ସ୍ତ୍ରୀ କପ୍ତିପଦା ଡାକ୍ତରଖାନାରେ ଚାକିରି କରିଥିବା ବେଳେ ଏହାର ଫାଇଦା ନେଇ କପ୍ତିପଦା ଅଞ୍ଚଳର କିଛି ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ଠକି ନେଇଛନ୍ତି। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।