ଖରାରେ ପକାଇ ପୁଅକୁ ମାରିଦେଲେ

ଢେଙ୍କିକୋଟ,୧୩।୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅଧୀନ ସାନମସିଣାବିଲା ଗ୍ରାମରେ ହାତଗୋଡ଼ ବାନ୍ଧି ଖରାରେ ପକାଇଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ସାନମସିଣାବିଲା ଗ୍ରାମର ପାଣୁଆ ନାଏକଙ୍କ ପୁଅ ସୁମନ୍ତ (୪୦)ଗତ ଶନିବାର ଅପରାହ୍ନରେ ନିଶାସକ୍ତ ଅବସ୍ଥାରେ ଘରେ ପାଟିତୁଣ୍ଡ କରିଥିଲେ। ଏକ ଠେଙ୍ଗାରେ ସେ ତାଙ୍କ ମା’ଙ୍କୁ ମାଡ଼ ମାରି ଅଣ୍ଟା ହାଡ଼ ଭାଙ୍ଗି ଦେଇଥିଲେ। ପୁଅର ଏଭଳି ଉନ୍ମତ୍ତ କାଣ୍ଡ ଦେଖି ବାପା ପାଣୁଆ ରାଗିଯାଇ ତାଙ୍କ ହାତ ଗୋଡ଼ ବାନ୍ଧି ପ୍ରଚଣ୍ଡ ଖରାରେ ପକାଇ ଦେଇଥିଲେ। ଏମିତି କି ପାଣି ମୁନ୍ଦେ ମଧ୍ୟ ଦେଇ ନ ଥିଲେ। ଫଳରେ ଅପରାହ୍ନ ୫ଟାରେ ସୁମନ୍ତ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଘରକୁ ନେଇଯାଇ ହାତ ଗୋଡ଼ ଖୋଲି ଦେଇଥିଲେ। ପରେ ଚିକିତ୍ସା ପାଇଁ ତାଙ୍କୁ ଘଟଗଁା ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଗଁା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ତପନ କୁମାର ଜେନା ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ଥାନାରେ ଏକ ମାମଲା (ନଂ.୧୧୬/୨୨) ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସୁମନ୍ତଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।