ଲୋକସେବା ଭବନକୁ ସାଧାରଣ ଲୋକଙ୍କୁ ଛଡ଼ାଯାଉ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଲୋକସେବା ଭବନକୁ ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ା ଯାଉନାହିଁ। ଏନେଇ ସାମାଜିକ କର୍ମୀ ବାସୁଦେବ ଭଟ୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଖୋଲା ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ଭୟାବହତା କମି ଯାଇଛି। ଶୁକ୍ରବାରଠାରୁ ରାତ୍ରିକାଳିନ କର୍ଫ୍ୟୁ ମଧ୍ୟ ଉଠି ଯାଇଛି। ଏହାପରେ ବି ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ କଟକଣା ଜାରି ରହିଛି। ହେଲେ ଖଣି, ପାଣି, ଜଙ୍ଗଲ, ବିଦ୍ୟୁତ, ବାଲି, ଶିକ୍ଷା ଓ ବଡ଼ ବ୍ୟବସାୟ କରି ସରକାରଙ୍କୁ ଠକୁଥିବା ବ୍ୟକ୍ତିଙ୍କୁ ଲୋକସେବା ଭବନକୁ ଯିବାକୁ ଅନୁମତି ଦିଆଯାଉଥିଲେ ମଧ୍ୟ ଜନସାଧାରଣଙ୍କ ପାଇଁ କାମ କରୁଥିବା ଲୋକଙ୍କୁ କାହିଁକି ବାରଣ କରାଯାଉଛି? ଲୋକସେବା ଭବନ ଲୋକଙ୍କ ପାଇଁ, ମାତ୍ର ଏହା କେବଳ କିଛି ସରକାରୀ ଚାକିରିଆଙ୍କ ପାଇଁ ଉଦ୍ଦିଷ୍ଟ ଭଳି ମନେ ହେଉଛି। ସେମାନେ ଅଗଣତାନ୍ତ୍ରିକ ଭାବେ ପ୍ରଶାସନ ଓ ଶାସନ ବ୍ୟବସ୍ଥାକୁ କାବୁ କରି ନେଲେଣି। ଲୋକସେବା ଭବନକୁ ଜନସାଧାରଣ ଓ ସାମ୍ବାଦିକଙ୍କୁ ଛାଡ଼ନ୍ତୁ, ନଚେତ ଏହାର ନାମ ପରିବତ୍ତର୍ର୍ନ କରି ଚାକିରିଆ ଭବନ କରିଦିଆଯାଉ ବୋଲି ସେ କହିଛନ୍ତି।