ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ ଘରୁ ବାହାରକୁ ଆସିଥିବାବେଳେ ରାତି ସାରା ତାଙ୍କ ମୋବାଇଲ ବନ୍ଦ ଥିଲା । ମଙ୍ଗଳବାର ନଳାଙ୍ଗ କେନାଲରେ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ଉଦ୍ଧାର ନାବାଳକ ଭାଜପା ନେତ୍ରୀ ସୁମିତ୍ରା ପାଣିଙ୍କ ବଡ଼ ପୁଅ ଯୁକ୍ତ ୨ର ଛାତ୍ର ରାଜୀବ ଲୋଚନ ପାଣି । ନାବାଳକଙ୍କ ମାଆଙ୍କ ସୂଚନା ଅନୁଯାୟୀ,  ଗତକାଲି ସନ୍ଧ୍ୟାଠାରୁ ତାଙ୍କ ମୋବାଇଲ ଅଫ୍‌ ଥିଲା । ସାଙ୍ଗ ଓ ପରିବାର ଲୋକେ ରାତି ତମାମ ଖୋଜିଥିଲେ। ସକାଳୁ କେନାଲ ମଝିରେ ପଡ଼ିଥିବା ଖବର ମିଳିଥିଲା । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ମୁଣ୍ଡ ଓ ଦେହରେ ଧାରୁଆ ମାରଣାସ୍ତ୍ରରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ନାବାଳକଙ୍କ ମୋବାଇଲ, ସୁନା ଚେନ ବ୍ରେସ୍‌ଲେଟ୍‌ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ମିଳିନଥିବା ସୂଚନା ମିଳିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାକୁ ନେଇ ଗ୍ରାମାଞ୍ଚଳ ପୋଲିସ ତନାଘନା ଆରମ୍ଭ କରିଛି ।

Odisha’s No.1 Odia Daily

Share