ସାଙ୍ଗ ପାଇଁ ଦେଲେ ଜୀବନ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଢିଙ୍କିଆ ଗ୍ରାମର ଜଣେ ଯୁବକ ଶୁକ୍ରବାର ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ରେମାଳ ଡ୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଗ୍ରାମର କାଳନ୍ଦୀ ସାହୁଙ୍କ ପୁଅ ସୁବ୍ରତ(୨୧)।

ସୂଚନା ଅନୁଯାୟୀ, ସୁବ୍ରତ ଅପରାହ୍ନରେ ସାଙ୍ଗମାନଙ୍କ ସହ ରେମାଳ ଡ୍ୟାମ୍‌ ବୁଲିବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ସାଙ୍ଗ ରୋଶନ ପୃଷ୍ଟି ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗଙ୍କୁ ଉଦ୍ଧାର କରିବାକୁ ସୁବ୍ରତ ପାଣିକୁ ଡେଇଁ ପଡ଼ିଥିଲେ। ରୋଶନ ଉଦ୍ଧାର ହୋଇଥିବା ବେଳେ ଦୀର୍ଘ ସମୟ ଧରି ସୁବ୍ରତ ପାଣିରେ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।