ଲାଞ୍ଜିଗଡ଼, ୩।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ଅନେକ ସମୟରେ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ କିଏ ଶବ ହୋଇ ଫେରୁଛି ତ ପୁଣି କିଏ ପୁଣି ପଙ୍ଗୁ ହୋଇ ଘରକୁ ଫେରୁଥିବା ଦୃଶ୍ୟ ବାରମ୍ବାର ଦେଖୁବାକୁ ମିଳୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ। ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମର ନିରନ ବିଭାର(୩୬) ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଶବ ହୋଇ ଘରକୁ ଫେରିଛନ୍ତି। ନିରନ ଗତ ୨ ମାସ ତଳେ ତାଙ୍କ ସମ୍ପର୍କୀୟଙ୍କ ସହିତ ଯାଇ ହାଇଦ୍ରାବାଦର ରମନ୍ତାପୁରର ଏକ ଇଟା ଭାଟିରେ କାମ କରୁଥିଲେ। ଗତ ଶନିବାର ଅପରାହ୍ନ ସମୟରେ କୌଣସି କାରଣରୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିବା ବେଳେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ନିରନଙ୍କର ମୃତ୍ୟୁ ଘଟିଥିଲା। ଶନିବାର ପୁଅର ମୃତ୍ୟୁ ଖବର ଶୁଣି ମା’ ଓ ତାଙ୍କ ସ୍ତ୍ରୀ ସହିତ ୩ ସନ୍ତାନ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ ସେମାନଙ୍କ ପାଖରେ ହାଇଦ୍ରାବାଦ ଠାରୁ ଶବ ଆଣିବା ପାଇଁ ସମ୍ବଳ ନଥିବାରୁ ଭଟାଙ୍ଗ ପଦର ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆଙ୍କୁ ଯୋଗାଯୋଗ କରିବା ପରେ ଇଟାଭାଟି ମାଲିକଙ୍କ ସହିତ ଆଲୋଚନା କରିବା ପରେ ମାଲିକ ଶବ ପଠାଇବା ପାଇଁ ରାଜି ହୋଇଥିଲେ। ପରେ ମାଲିକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୋମବାର ନିରନ ମର ଶରୀର ଗାଁରେ ପହଞ୍ଚି ଥିଲା। ଗାଁରେ ମରଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିପଡିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗାଁ ମଶାଣୀରେ ଶବ ସତ୍କାର କରାଯାଇଥିଲା।