କେନ୍ଦ୍ର ଉପରେ ୩ ହଜାର କୋଟି ଜିଏସ୍‌ଟି ବାକି

ଭୁବନେଶ୍ୱର,୧୩।୭(ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ଉପରେ ୨୭୩୯ କୋଟି ଟଙ୍କାର ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ବାକି ରହିଛି। ଚଳିତ ମୌସୁମୀ ଅଧିବେଶନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉପରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୧୬୭.୫୦ କୋଟି ଟଙ୍କା ବକେୟା ଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଦୁଇମାସର ୧୫୭୧.୫୩ କୋଟି ଟଙ୍କା ବକେୟା ରହିଛି। ଜିଏସ୍‌ଟି ଆଇନ-୨୦୧୭ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷକୁ ମୂଳ ବର୍ଷ ଭାବେ ରଖି ଜିଏସ୍‌ଟି ରାଜସ୍ବ ୧୪%ରୁ ଅଧିକ ହେଉ ନ ଥିଲେ କେନ୍ଦ୍ର ସରକାର ବକେୟା ରାଶି ୫ ବର୍ଷ ପାଇଁ ପ୍ରତି ଦୁଇମାସରେ ଭରଣା କରିବେ। କେନ୍ଦ୍ର ସରକାର ଜିଏସ୍‌ଟି ଟିକସ ବ୍ୟବସ୍ଥା ୨୦୧୭ ଜୁଲାଇ ପହିଲାରୁ ଲାଗୁ କରିଛନ୍ତି। କେନ୍ଦ୍ର ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ ୨୩୪୮.୦୮ କୋଟି ପ୍ରଦାନ କରିଥିବା ବେଳେ ୨୦୧୮-୧୯ରେ ୪୨୪୧.୦୮ କୋଟି, ୨୦୧୯-୨୦ରେ ୫୩୩୧.୯୧ କୋଟି ପ୍ରଦାନ କରିଥ୍‌ତ୍ଲେ। ୨୦୨୦-୨୧ରେ କୋଭିଡ୍‌ ମହାମାରୀ ପାଇଁ କେନ୍ଦ୍ର ସରକାର ଆଂଶିକ ଭାବେ ୪୨୪୩.୪୨ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ପରେ ଜିଏସ୍‌ଟି କ୍ଷତିଭରଣା ପାଇଁ ୩୮୨୨ କୋଟି ବ୍ୟାକ୍‌ ଟୁ ବ୍ୟାକ୍‌ ଲୋନ ପ୍ରଦାନ କରିଥିଲେ। ୨୦୨୦-୨୧ ସୁଦ୍ଧା ଓଡ଼ିଶା ମୋଟ ୮,୦୬୫.୪୨ କୋଟି ଟଙ୍କା କେନ୍ଦ୍ର ନିକଟରୁ ଜିଏସ୍‌ଟି କ୍ଷତିପୂରଣ ଭାବେ ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।