Categories: ଜାତୀୟ

ନାବାଳିକା ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ବଳାତ୍କାର ସହିତ ସମାନ, ହାଇକୋର୍ଟଙ୍କ ରାୟ…

ଭୋପାଳ,୨୧।୧୧: ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର୍‌ ବେଞ୍ଚ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାବାଳିକା ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ବିଚାରପତି ଜି.ଏସ୍‌. ଅହଲୁୱାଲିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅପରାଧ ଘଟିଥିବା ସମୟରେ ସ୍ତ୍ରୀଙ୍କର ବୟସ ୧୮ ବଷର୍’ରୁ କମ୍‌ ଥିଲା। ତେଣୁ ଆଇପିସି ଧାରା ୩୭୫ର ବ୍ୟତିକ୍ରମ ୨ ଅନ୍ତର୍ଗତ ନାବାଳିକା ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ବଳାତ୍କାର ଭାବେ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଅପରାଧୀକ ଆଇନ ସଂଶୋଧନ ଅଧିନିୟମ ୨୦୧୩ରେ ପୂର୍ବର ବୟସ ସୀମାକୁ ୧୫ ବର୍ଷରୁ ବଢ଼ାଇ ୧୮ ବର୍ଷ ବୟସ କରାଯାଇଥିଲା।

ହାଇକୋର୍ଟ ୨୦୨୧ ଜାନୁୟାରୀ ୩୧ରେ ଗିରଫ ହୋଇଥିବା ଅଜୟ ଯାଟବଙ୍କ ପଞ୍ଚମ ଜାମିନ ଆବେଦନ ଉପରେ ବିଚାର କରୁଥିଲେ। ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା ୩୬୩, ୩୭୬, ୩୬୬ ଏବଂ ପୋକ୍ସୋ ଆକ୍ଟର ଧାରା ୫/୬ ଅନୁଯାୟୀ ଅଜୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଅଜୟଙ୍କ ତରଫରୁ ଏହା ଦାଖଲ କରାଯାଇଥିଲା ଯେ ଯଦିଓ କୋର୍ଟ ଚତୁର୍ଥ ଜାମିନ ଆବେଦନ କରିବାବେଳେ ପୀଡିତାଙ୍କ ସାକ୍ଷ୍ୟକୁ ବିଚାର କରିଥିଲେ। ଏହା ପରେ ତାଙ୍କ ପିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ସେ ତାଙ୍କ ବୟାନରେ କହିଥିଲେ ଯେ ଅଭିଯୁକ୍ତ ଅପରାଧ ସମୟରେ ପୀଡିତାଙ୍କ ବୟସ ପ୍ରାୟ ୧୭ ବର୍ଷ ୬ ମାସ ଥିଲା। ଏହା ମଧ୍ୟ ଦାଖଲ କରାଯାଇଥିଲା ଯେ ଆବେଦନକାରୀ ପୀଡିତାଙ୍କୁ ବିବାହ କରିଛନ୍ତି । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ପୀଡିତାଙ୍କ ପିତାଙ୍କ ସାକ୍ଷ୍ୟକୁ କୋର୍ଟ ପରିବର୍ତ୍ତିତ ପରିସ୍ଥିତି ଭାବରେ ଗ୍ରହଣ କରି ନ ଥିଲେ। ତେଣୁ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳି ନ ଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚତୁର୍ଥ ଜାମିନ ଆବେଦନ ଶୁଣାଣି ସମୟରେ ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି ବାଢ଼ିଥିଲେ ଯେ ପୀଡିତାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ଏବଂ ସେ ତାଙ୍କ ବୟାନରେ କହିଛନ୍ତି ଯେ ସେ ସାବାଳିକା ହେବା ପରେ ଆବେଦନକାରୀଙ୍କୁ ବିବାହ କରିବା ପରେ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଛି। ତେବେ ଏହାକୁ ରାଜ୍ୟର ତଥା ଅଭିଯୋଗକାରୀଙ୍କ ଆଇନଜୀବୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା।

ଏହା ଦାଖଲ କରାଯାଇଥିଲା ଯେ ଡାକ୍ତରଖାନାର ରିପୋର୍ଟ ଅନୁଯାୟୀ ପୀଡିତା ୧୬ ସେପ୍ଟେମ୍ବର,୨୦୨୦ ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଡିସେମ୍ବର ୨୦୧୯ ଗର୍ଭବତୀ ହୋଇଥିଲେ। ତାଙ୍କର ଜନ୍ମ ତାରିଖ ୨୦୦୨ ଫେବୃଆରୀ ୧। ଏଭଳି ପରିସ୍ଥିତିରେ ପୀଡିତା ଗର୍ଭବତୀ ଥିବା ସମୟରେ ନାବାଳିକା ଥିବା ସ୍ପଷ୍ଟ ହୋଇଛି।

ତେଣୁ କୋର୍ଟ ଜୁଲାଇ ୨୦୨୧ ରେ ଆବେଦନକାରୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସେ ତତ୍‌କାଳ ଜାମିନ ଆବେଦନ ଭାବେ ତାଙ୍କର ପଞ୍ଚମ ଜାମିନ ଆବେଦନ ଦାଖଲ କରିଥିଲେ। ଅକ୍ଟୋବର ୨୧ରେ ଆବେଦନକାରୀଙ୍କ ପଞ୍ଚମ ଜାମିନ ଆବେଦନ ଶୁଣିବା ପରେ ଖଣ୍ଡପୀଠ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଦର୍ଶାଇ ପଞ୍ଚମ ଥର ପାଇଁ ଜାମିନ ପ୍ରତ୍ୟାଖ୍ୟାନ କରିଥିଲେ।

Share