ତାଣ୍ଡବ ମେକର୍ସ, ସୈଫ ଅଲି ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ,୧୮।୧: ବିବାଦରେ ଘେରି ହୋଇଯାଇଛି ନିକଟରେ ରିଲିଜ ହୋଇଥିବା ଆମାଜନ ପ୍ରାଇମ୍‌ର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’। ଏହାର ମେକର୍ସ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ ମାମଲ ଦାୟର କରିଛି ଉତ୍ତରପ୍ରଦେଶ ପୋଲିସ। ଏହି ଓ୍ବେବ ସିରିଜ୍‌ରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଦିଆଯାଇଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଭାଜପା ବିଧାୟକ ରାମ କଦମଙ୍କ ଅଭିଯୋଗ ପରେ କେନ୍ଦ୍ରର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ଆମାଜନ ପ୍ରାଇମଠାରୁ ରିପୋର୍ଟ ତଲବ କରିବାର ଘଣ୍ଟାକ ପରେ ଦାୟର ହୋଇଛି ଏହି ମାମଲା।

ସୈଫ ଅଲି ଖାନ ଓ ଡିମ୍ପଲ କପାଡିଆ ଷ୍ଟାରର ‘ତାଣ୍ଡବ’ ଓ ଆମାଜନର ଇଣ୍ଡିଆ ଓରିଜିନାଲ କଣ୍ଟେଣ୍ଟ ମୁଖ୍ୟଙ୍କ ବିରୋଧରେ ଧାର୍ମିକ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଓ ପୂଜା ସ୍ଥଳକୁ ଅପମାନ ଦେବା ଭଳି ଅଭିଯୋଗ ହୋଇଛି। ଏହାର କିଛି ସମୟ ପରେ ଉତ୍ତର ଏଫ୍‌ଆଇଆର କପି ଟୁଇଟରରେ ଶେୟାର କରିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ମିଡିଆ ଆଡଭାଇଜର ଶାଲାଭ ମଣି ତ୍ରିପାଠି ।

ପୋଷ୍ଟର କ୍ୟାପଶନରେ ଲେଖିଛନ୍ତି, ଉତ୍ତରପ୍ରଦେଶର ଲୋକଙ୍କ ଭାବନା ସହ ଖେଳୁଥିବା ବ୍ୟକ୍ତିଙ୍କ ପ୍ରତି କୌଣସି ସହାନୁଭୂତି ରଖାଯିବ ନାହିଁ। ଶସ୍ତା ଲୋକପ୍ରିୟତା ପାଇଁ ଘୃଣା ମନଭାବ ପ୍ରସାର କରୁଥିବା ‘ତାଣ୍ଡବ’ର ପୂରା ଟିମ୍‌ ବିରୋଧରେ ଏକ ସଙ୍ଗୀନ ମାମଲା ଦାୟର କରାଯାଇଛି। ଗିରଫ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ହିନ୍ଦୀରେ ଲେଖିଛନ୍ତି।

Share