ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ – ୨୦୨୬ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପ୍ରକ୍ରିୟା ଅଧୀନରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିବା ସହ ଏହାକୁ ସଂଗ୍ରହ କରି ଡିଜିଟାଇଜେସନ୍ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ବ୍ଲକ କାହାଳିଆଗଡ଼ିଆର ୨୧୪ ନମ୍ବର ବୁଥ୍ ସ୍ତରୀୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ଶ୍ରେଷ୍ଠ BLO ଭାବେ ସମ୍ବର୍ଦ୍ଧିତ କରାଯାଇଛି। ସେ ନିଜର ଦାୟତ୍ୱକୁ ସଠିକ୍ ଭାବେ ପରିଚାଳନା କରିବା ସହିତ ସର୍ବପ୍ରଥମେ ନିଜର କାର୍ଯ୍ୟ ସଫଳତାର ସହ ସମାପନ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ଆନନ୍ଦପୁର ଏସ୍.ଡ଼ି.ପି.ଓ. କମଳ କୁମାର ପଣ୍ଡା ମିଳିତ ଭାବେ ଜିତେନ୍ଦ୍ର କୁମାର ବେହେରାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ସଫଳତା ପାଇଁ ହାଟଡିହୀ ବିଡିଓ ରଞ୍ଜନ କୁମାର ପରିଡ଼ା, ତହସିଲଦାର ସଞ୍ଜୟ ସାମନ୍ତରାୟ, ଜି.ପି.ଡି.ଓ. ଦିବ୍ୟଜ୍ୟୋତି ଦାଶ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।