‘ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବାଂଲାଦେଶ ଫେରିବେ ନାହିଁ ହସିନା’: ପାକିସ୍ତାନ ପହଞ୍ଚିବା ପରେ ବାଂଲାଦେଶୀ ବାଚସ୍ପତିଙ୍କ ବଡ଼ ଦାବି

ଢାକା,୨୮।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ, ବାଂଲାଦେଶ ସଂସଦର ବାଚସ୍ପତି ହାଫିଜ ଉଦ୍ଦିନ ଅହମ୍ମଦ କହିଛନ୍ତି ଯେ, ଯଦି ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ମନା କରେ, ତେବେ ବାଂଲାଦେଶ ଆନ୍ତର୍ଜାତୀୟ ନ୍ୟାୟ ଅଦାଲତ (ICJ) ର ଦ୍ୱାରସ୍ଥ ହୋଇପାରେ। ଗୁରୁବାର ପ୍ରକାଶିତ ବିବିସି ଉର୍ଦ୍ଦୁର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଗସ୍ତ ସମୟରେ (ଯାହା ଛଅ ଦିନ ଧରି ଚାଲିଥିଲା) ଅହମ୍ମଦ ଏହି ମନ୍ତବ୍ୟ ଦେଇଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଶେଖ ହସିନା ବାଂଲାଦେଶ ଫେରନ୍ତି, ତେବେ ତାଙ୍କୁ ସିଧାସଳଖ କାରାଗାରକୁ ପଠାଇ ଦିଆଯିବ। ବାଂଲାଦେଶ କୂଟନୈତିକ ସ୍ତରରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ କରୁଛି। ଭାରତ ବାଂଲାଦେଶଠାରୁ ଏହି ଅନୁରୋଧ ପାଇଥିବା କଥା ସ୍ବୀକାର କରିଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଭାରତ ପକ୍ଷରୁ କୁହାଯାଇଛି ଯେ, ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏହି ବିଷୟ ଉପରେ ବିଚାର କରାଯାଉଛି।
ଆହମଦ ଡିସେମ୍ବର ୧୬ରେ ହସିନା ବାଂଲାଦେଶ ଫେରିବା ନେଇ ଆସିଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, କେବଳ ତାଙ୍କ ସମର୍ଥକମାନଙ୍କ ମନୋବଳ ବଜାୟ ରଖିବା ପାଇଁ ଏହି ଘୋଷଣା କରାଯାଇଥିଲା। ସେ ଦାବି କରିଛନ୍ତି ଯେ, ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ହସିନା ଫେରିବେ ନାହିଁ।
ହସିନାଙ୍କ ମୁଖପାତ୍ର ସୟଦ ମୋଜାମ୍ମେଲ ଅଲି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଡିସେମ୍ବର ୧୬ ରେ ଫେରିବାକୁ ଯୋଜନା କରୁଛନ୍ତି। ବାଂଲାଦେଶରେ ହସିନାଙ୍କୁ ଗୁରୁତର ଆଇନଗତ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି; ୨୦୨୪ ବିଦ୍ରୋହ ସମୟରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ମାରାତ୍ମକ କାର୍ଯ୍ୟାନୁଷ୍ଠାନ ମାମଲାରେ, ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ତାଙ୍କ ଅନୁପସ୍ଥିତିରେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଡିସେମ୍ବର ୧୬ ତାରିଖ ହେଉଛି ସେହି ଦିନ, ଯେଉଁଦିନ ବାଂଲାଦେଶ ୧୯୭୧ ମୁକ୍ତିଯୁଦ୍ଧରେ ପାକିସ୍ତାନ ଉପରେ ନିଜର ବିଜୟ ପାଳନ କରିଥାଏ। ହସିନା କୌଣସି ଭୁଲ କରିଥିବା କଥାକୁ ଅସ୍ବୀକାର କରିଛନ୍ତି ଏବଂ ଏହି ବିଚାର ପ୍ରକ୍ରିୟାର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ପାକିସ୍ତାନ ଗସ୍ତ ସମୟରେ ଅହମ୍ମଦ ଅଭିଯୋଗ କରିଥିଲେ ଯେ, ଗତ ୧୫ ବର୍ଷ ମଧ୍ୟରେ ବାଂଲାଦେଶ ବାସ୍ତବରେ ଏକ ପଡ଼ୋଶୀ ଦେଶର ଉପନିବେଶ ପାଲଟିଯାଇଛି। ତେବେ, ସେ ଭାରତର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରିନଥିଲେ। ଅହମ୍ମଦ ଜଣେ ପୂର୍ବତନ ସେନା କ୍ୟାପଟେନ, ଯିଏ କି ମୁକ୍ତିଯୁଦ୍ଧ ସମୟରେ ପାକିସ୍ତାନ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ୧୯୭୧ ମସିହାରେ ଭାରତ ବଙ୍ଗାଳୀମାନଙ୍କୁ ସାହାଯ୍ୟ କରିନଥିଲା, ବରଂ ପାକିସ୍ତାନକୁ ଦୁର୍ବଳ କରିବାରେ ଭୂମିକା ଗ୍ରହଣ କରିଥିଲା। ଏହା ବ୍ୟତୀତ ସେ କଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ଏବଂ କହିଥିଲେ ଯେ, ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଏହାର ସମାଧାନ ହେବା ଉଚିତ।

Dharitri – Odisha’s No.1, Most Trusted Odia Daily

Share