Categories: ଜାତୀୟ

ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୧୧ କୋଟି ଟଙ୍କା ଦାନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୯ ।୨: ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ ପରେ ସୃଷ୍ଟି ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପରେ ଏବେ ସମ୍ପୂର୍ଣ୍ଣ ନଜର ରହିଛି ଉଦ୍ଧାର କାର୍ଯ୍ୟ ଉପରେ । ସବୁଠାରୁ ଅଧିକ ଅସୁବିଧା ତପୋବନ ଟନେଲ ନିକଟରେ ଦେଖା ଦେଇଛି । କାରଣ ଏଠାରେ ପାଖାପାଖି ୩୫ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ସୁଡଙ୍ଗ ମାଟି କାଦୁଅରେ ଭର୍ତ୍ତି ହୋଇରହିଛି । ଏହି ଘଟଣାରେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏଥିରେ ୨୯ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି । ଆହୁରି ପାଖାପାଖି ୧୧୭ ଜଣ ନିଖୋଜ ଥିବା କୁହାଯାଉଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତ୍ରିଭେ୍‌ଦ୍ର ସିଂ ରାୱତ ହେଲିକପ୍ଟରରେ ଯାଇ ସ୍ଥିତିର ସମିକ୍ଷା କରିଛନ୍ତି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପୀଡ଼ିତଙ୍କୁ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ଅନ୍ୟପଟେ ଉତ୍ତରାଖଣ୍ଡର ଏହି ବିପତ୍ତି ସମୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୧୧ କୋଟି ଟଙ୍କା ଦାନ କରିଛନ୍ତି । ହରିୟାଣା ସୂଚନା ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପାଣ୍ଠିକୁ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ଦାନ କରିଛନ୍ତି ।

Share