Categories: ଖେଳ

ଆଇପିଏଲ୍‌ ଇତିହାସରେ ପ୍ରଥମ: ମୁମ୍ବାଇ ବିପକ୍ଷରେ ଏଭଳି ରେକର୍ଡ କରି ଚମକାଇଲେ ଆର୍‌ସିବିର ଏହି ବୋଲର୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟି୨୦ ଟୁର୍ନାମେଣ୍ଟ ଆଇପିଏଲ୍‌-୨୦୨୧। ଶୁକ୍ରବାର ଚେନ୍ନାଇ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ ଲଢ଼େଇ ରୋମାଞ୍ଚର ରହିଥିଲା। ଏଥିରେ ବାଜି ମାରିଥିଲା ଅଧିନାୟକ ବିରାଟ କୋହଲିଙ୍କ ଟିମ୍‌।

ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲେ କୋହଲି। ପାଞ୍ଚଥର ଟାଇଟଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ ୯ ଉଇକେଟ ହରାଇ ଦଳ ୧୫୯ରନ କରିଥିଲା। ଏଥିରେ ବଡ଼ ଭୂମିକା ତୁଲାଇଥିଲେ ଆର୍‌ସିବିର ହର୍ଷଲ ପଟେଲ।

୧୩୫ରନ୍‌ରେ ୩ ଉଇକେଟ ହରାଇଥିଲା ଏମ୍‌ଆଇ। ଏହାପରେ ହର୍ଷଲଙ୍କ ବୋଲିଂ ସମସ୍ତଙ୍କୁ ଚମକାଇଥିଲା। କାରଣ ସେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ୧୩ ରନ୍‌ରେ ଆଉଟ୍‌ କରିଥିଲେ। ଏହାପରେ ସେ କିଛି କିଛି ସମୟ ବ୍ୟବଧାନରେ ଲଗାତାର ଉଇକେଟ ନେଇଥିଲା। ମାତ୍ର ୪ ଓଭରରେ ସେ ୨୭ ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଏଥିସହ ସେ ଏକ ବଡ଼ ରେକର୍ଡ ନିଜ ନାମରେ କରିଥିଲେ। ପୂର୍ବରୁ କୌଣସି ଖେଳାଳି ମୁମ୍ବାଇ ବିପକ୍ଷରେ ୫ ଉଇକେଟ ନେଇ ନ ଥିଲେ। ହେଲେ ହର୍ଷଲ ଏପରି କରିବାରେ ପ୍ରଥମ ବୋଲର ପାଲଟିଛନ୍ତି।

Share