Categories: ଖେଳ

ହରମନ୍‌ପ୍ରୀତ୍‌ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା

ମୁମ୍ବାଇ,୨ା୩(ପି.ଟି.): ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଆଗାମୀ ସଂସ୍କରଣ ପାଇଁ ହରମନପ୍ରୀତ୍‌ କୌରଙ୍କୁ ଅଧିନାୟିକା ଘୋଷଣା କରାଯାଇଛି। ବୁଧବାର ଭାରତୀୟ ଦଳର ଅଧିନାୟିକାଙ୍କୁ ମୁମ୍ବାଇ ଏହାର ଅଧିନାୟକ ଭାବରେ ନିଯୁକ୍ତି ଦେଇଛି। ନିକଟରେ ପ୍ରଥମ ମହିଳା ଖେଳାଳି ଭାବରେ ହରମନପ୍ରୀତ୍‌ ୧୫୦ତମ ଟି୨୦ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ହାସଲ କରିଥିଲେ। ଗତମାସରେ ଅନୁଷ୍ଠିତ ନିଲାମୀରେ ହରମନ୍‌ପ୍ରୀତଙ୍କୁ ୧.୮ କୋଟି ଟଙ୍କାରେ କିଣିଥିଲା ମୁମ୍ବାଇ। ଚଳିତ ଶନିବାରରୁ ମୁମ୍ବାଇର ଡି ଓ୍ବାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଡବ୍ଲ୍ୟୁପିଏଲ୍‌ ଆରମ୍ଭ ହେବ। ହରମନପ୍ରୀତ୍‌ ଅଧିନାୟିକା ଭାବେ ଭାରତକୁ ଅନେକ ମ୍ୟାଚରେ ଜିତାଇଛନ୍ତି। ଚାର୍ଲୋଟ ଏଡଓ୍ବାର୍ଡସ ଓ ଝୁଲଣ ଗୋସ୍ବାମୀଙ୍କ ସହଯୋଗରେ ସେ ମୁମ୍ବାଇକୁ ସଫଳତା ଦେବେ ବୋଲି ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି। ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ମହିଳା ଟି୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ନିକଟରୁ ୫ ରନ୍‌ରେ ପରାଜିତ ହୋଇଥିଲା। ଏହା ପୂର୍ବରୁ ଚାର୍ଲୋଟ ଏଡଓ୍ବାଡର୍‌ସ(ମୁଖ୍ୟ କୋଚ୍‌), ଝୁଲଣ ଗୋସ୍ବାମୀ(ବୋଲିଂ କୋଚ୍‌, ମେଣ୍ଟର), ଦେବିକା ପାଲଶିକର (ବ୍ୟାଟିଂ କୋଚ୍‌) ଓ ଲିଡିଆ ଗ୍ରୀନ୍‌ଓ୍ବେଙ୍କୁ ଫିଲ୍ଡିଂ କୋଚ୍‌ ଭାବରେ ନିଯୁକ୍ତ କରାଯାଇଛି। ବେଥ୍‌ ମୁନିଙ୍କ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷରେ ଶନିବାର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବ ମୁମ୍ବାଇ।

Share