ନୂଆଦିଲ୍ଲୀ, ୨୧।୧୦: ଭାରତୀୟ ମହିଳା ଦଳ ଜିମ୍ବାୱେକୁ ତିନି ମ୍ୟାଚ ବିଶିଷ୍ଟ ମହିଳା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ପରାସ୍ତ କରିଛି। ତୃତୀୟ ମ୍ୟାଚରେ ଭାରତର ପୂର୍ବତନ ଅଧିନାୟିକା ହରମନପ୍ରୀତ କୌର ଇତିହାସ ରଚିଛନ୍ତି। ସେ ମାତ୍ର ୪୧ ବଲରେ ୯୧ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ଟିମ ଇଣ୍ଡିଆ ୯୨ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଏଥିସହ ସେ ବର୍ତ୍ତମାନର ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଭାରତୀୟ ମାଟିରେ ଗୋଟିଏ ଟି-୨୦ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ହରମନପ୍ରୀତଙ୍କ ନାମରେ ରହିଛି।
ଜିମ୍ବାୱେ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ହରମନପ୍ରୀତଙ୍କ ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନଥିଲା। କିନ୍ତୁ ରାୟପୁରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମାତ୍ର ୪୧ଟି ବଲରେ ୯୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଛକା ଓ ୧୦ଟି ଚୌକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ୨୨୧.୯୫। ଏହି ପ୍ରଦର୍ଶନ ସହ ସେ ନିଜ ନାମକୁ ରେକର୍ଡ ବହିରେ ସାମିଲ କରିଛନ୍ତି।
ଭାରତୀୟ ମାଟିରେ କୌଣସି ଭାରତୀୟ ଖେଳାଳିଙ୍କ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ସ୍କୋର ୮୦ ରନ ଥିଲା। ୨୦୨୫ ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ସ୍ମୃତି ମନ୍ଧାନା ୮୦ ରନ କରିଥିଲେ। ଏବେ ହରମନପ୍ରୀତ ଏହି ରେକର୍ଡକୁ ପଛରେ ପକାଇ ଭାରତୀୟ ମାଟିରେ ଗୋଟିଏ ଟି-୨୦ ଇନିଂସରେ ସର୍ବାଧିକ ରନ କରିଥିବା ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। ଯଦିଓ ସେ ଶତକଠାରୁ ମାତ୍ର ୯ ରନ ଦୂରରେ ରହିଗଲେ, ତଥାପି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୨୦ ଓଭରରେ ୭ ଉଇକେଟ୍ ହରାଇ ୨୧୬ ରନ ସଂଗ୍ରହ କରିଥିଲା। ହରମନପ୍ରୀତ କୌର ଅପରାଜିତ ୯୧ ରନ କରିଥିବା ବେଳେ ଶେଫାଳି ବର୍ମା ୬୯ ରନ ଏବଂ ଅନୁଷ୍କା ଶର୍ମା ୨୮ ରନ କରିଥିଲେ। ଜିମ୍ବାୱେ ପକ୍ଷରୁ ବିଲଭଡ ବିଜା ୫୦ ରନ ଦେଇ ୩ଟି ଉଇକେଟ୍ ନେଇଥିଲେ।
ଜିମ୍ବାୱେକୁ ବିଜୟ ପାଇଁ ୨୧୭ ରନର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ଦଳର ବ୍ୟାଟିଂ ଲାଇନ ଅପ ତିଷ୍ଠି ପାରିନଥିଲା। କ୍ରାନ୍ତି ଗୌଡ଼ ପ୍ରଥମ ଓଭରର ପ୍ରଥମ ବଲ୍ରେ ହିଁ ଓପନର କେଲିସ ନଡଲୋଭୁଙ୍କୁ ଆଉଟ କରିଥିଲେ। ଏହାପରେ ନନ୍ଦିନୀ ଶର୍ମା ମୋଡେଷ୍ଟର ମୁପାଚିକୱାଙ୍କୁ ମାତ୍ର ୧ ରନର ପ୍ୟାଭିଲିୟନ ପଠାଇଥିଲେ।
ଏହାପରେ ଶାର୍ନେ ମେୟର୍ସ ଓ ବିଲଭଡ ବିଜାଙ୍କ ମଧ୍ୟରେ ଏକ ଭଲ ଭାଗୀଦାରି ଦେଖିବାକୁ ମିଳିଥିଲା। ଶାର୍ନେ ୪୯ ବଲରେ ୬୦ ରନ କରିଥିବା ବେଳେ ବିଲଭଡ ୪୪ ରନ କରିଥିଲେ। ଏହି ଦୁଇ ଖେଳାଳିଙ୍କୁ ଛାଡ଼ିଦେଲେ ଜିମ୍ବାୱେର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନଥିଲେ। ଶେଷରେ ଜିମ୍ବାୱେ ଦଳ ୨୦ ଓଭରରେ ୭ ଉଇକେଟ୍ ହରାଇ ମାତ୍ର ୧୨୪ ରନ କରିପାରିଥିଲା। ଫଳରେ ଭାରତ ୯୨ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ନନ୍ଦିନୀ ଶର୍ମା ସର୍ବାଧିକ ୩ଟି ଉଇକେଟ୍ ନେଇଥିଲେ।