Categories: ଜାତୀୟ

ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେନି ହରିବଂଶ

ନୂଆଦିଲ୍ଲୀ, ୧୭।୮ : ନୀତୀଶ କୁମାର ବିହାରରେ ଭାଜପା ସହିତ ମେଣ୍ଟ ଭାଙ୍ଗି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ବି ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ଇସ୍ତଫା ଦେଇନାହାଁନ୍ତି। ସେ ଏହି ପଦରେ ରହିବେ।
ଜେଡିୟୁ ସଭାପତି ଲଲନ ସିଂ ନିଜେ ଏହା କହିଛନ୍ତି। ସେ କହିଛନ୍ତି ହରିବଂଶ ତାଙ୍କ ପଦରୁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ। ଏନଡିଏ ସହଯୋଗୀ ଦଳରୁ ଜେଡିୟୁ ଅଲଗା ହେବା ଏକ ରାଜନୈତିକ ନିଷ୍ପତ୍ତି ହୋଇଥିବାବେଳେ ହରିବଂଶ ରାଜ୍ୟ ସଭାର ଉପାଧ୍ୟକ୍ଷ। ତାଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ। ଅପରପକ୍ଷେ ହରିବଂଶ ନିଜେ ନୀତୀଶ କୁମାରଙ୍କ ମହାମେଣ୍ଟରେ ଯୋଗଦେବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।
ରାଜ୍ୟ ସଭାର ଉପାଧ୍ୟକ୍ଷ ନିର୍ବାଚନରେ ଅନେକ ଅଣ ଏନଡିଏ ଦଳ ମଧ୍ୟ ହରିବଂଶଙ୍କୁ ଭୋଟ ଦେଇଥିଲେ ବୋଲି ଲଲନ୍‌ କହିଛନ୍ତି।
ସୂଚନାଯୋଗ୍ୟ, ଜେଡିୟୁ ଅଲଗା ହେବା ପରେ ରାଜ୍ୟ ସଭାରେ ଏନଡିଏର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୧୦୯ କୁ ଖସି ଆସିଛି। ଏହା ସ୍ପଷ୍ଟ ଯେ ବର୍ତ୍ତମାନ ଏନଡିଏ ପାଇଁ କୌଣସି ବିଲ ପାସ କରିବା ଅଧିକ ଚ୍ୟାଲେଞ୍ଜ ହେବ। ଯଦିଓ ବିଜେଡି, ଓ୍ବାଇଏସଆର କଂଗ୍ରେସ, ଏଆଇଏଡିଏମ୍‌କେ ଭଳି ଦଳ ଅନେକ ଥର ଏନଡିଏକୁ ସମର୍ଥନ କରିଛନ୍ତି। ତେବେ ଆଗାମୀ ଦିନରେ ଭାଜପା ପାଇଁ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share