Categories: ଜାତୀୟ

ଉତ୍ତରାଖଣ୍ଡ ନିର୍ବାଚନ: କଂଗ୍ରେସର ମଙ୍ଗ ଧରିବେ ହରିଶ ରାୱତ

ଡେରାଡୁନ,୨୪ ।୧୨: କଂଗ୍ରେସର କଳି ତୁଟିବାର ନାଁ ନେଉନି । ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳୁଛି । ଉତ୍ତରାଖଣ୍ଡରେ ଏହା ଆରମ୍ଭ ହୋଇଥିବା ବେଳେ ଅଳ୍ପକେ ସମାଧାନ ହୋଇଯାଇଛି । ଶୁକ୍ରବାର ଉତ୍ତରାଖଣ୍ଡ କଂଗ୍ରେସ ନେତାଙ୍କର ବୈଠକ ହୋଇଥିବା ବେଳେ ଏଥିରେ ହରିଶ ରାୱତ ଆସନ୍ତା ବିଧାନସଭା ନିର୍ବାଚନର ନେତୃତ୍ୱ ନେବେ ବୋଲି ଜଣାପଡିଛି । ଔପଚାରିକ ଭାବେ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ପ୍ରଦେଶ ଅଧ୍ୟକ୍ଷ ଗଣେଶ ଗୋଦିୟାଲ କହିଛନ୍ତି ଉତ୍ତରାଖଣ୍ଡରେ କଂଗ୍ରେସ ରାୱତଙ୍କ ନେତୃତ୍ୱରେ ନିର୍ବାଚନ ଲଢିବ । ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ନିର୍ବାଚନ ପରେ ନିଆଯିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ନିକଟରେ ସବୁ ଅଧିକାର ରହିଛି । ନିର୍ବାଚନ ପରେ ହେଉଥିବା ବୈଠକନେ ନିଷ୍ପତ୍ତି ନିଆଯାଏ କିଏ ହେବ ନେତା । ସେମାନଙ୍କ ନାଁ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଏ । ଉତ୍ତରାଖଣ୍ଡରେ ବି ତାହାହିଁ ହେବ । ମୁଖ୍ୟମନ୍ତ୍ରୀ କିଏ ହେବ ତାହା ପରେ ସ୍ଥିର କରାଯିବ ।

Share