ହରିପୁର ବଜାର ରାସ୍ତା ଶୋଚନୀୟ

ରସୁଲପୁର,୧୭ା୭(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ବଜାର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ଏହି ବଜାର ନିକଟରେ ଏକାଧିକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏବେ ଲଘୁଚାପଜନିତ ବର୍ଷା ଯୋଗୁ ଖାଲଗୁଡ଼ିକରେ ପାଣି ଭର୍ତ୍ତି ହୋଇ ରହିଛି। ଫଳରେ ଖାଲଗୁଡ଼ିକୁ ଠଉରାଇ ନ ପାରିବାରୁ ଯାତ୍ରୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ବଜାର ଅଞ୍ଚଳର ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
କୁଆଖିଆ-ବରୀକୁ ସଂଯୋଗ କରୁଥିବା ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିଲା। ଲକ୍ଷ୍ୟସ୍ଥଳରେ ପରିବର୍ତ୍ତନ ଘଟି ରାସ୍ତାଟି କୁଆଖିଆରୁ ଧାମରା ବନ୍ଦରକୁ ସଂଯୋଗ କରୁଥିବାରୁ ଏବେ ପୂର୍ତ୍ତ ବିଭାଗ ଅଧୀନରୁ ରାଜପଥ ଉଇଙ୍ଗ ଅଧୀନକୁ ଆସିଛି। ଏହିକ୍ରମରେ ରାସ୍ତାକୁ ୨୦ନମ୍ବର ରାଜପଥ ନାମରେ ନାମିତ କରାଯାଇଛି। ଏହି ରାସ୍ତାର ସଂପ୍ରସାରଣ ଓ ମରାମତି କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ କରାଯାଇଛି। ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡ଼ିକୁ କାଟି ସଫା କରି ଦିଆଯାଇଛି। ହେଲେ ଏଯାଏ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯାଜପୁର ଜିଲା ସଦର ମହକୁମାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଅତ୍ୟନ୍ତ ବ୍ୟସ୍ତବହୁଳ। ଏହି ରାସ୍ତାଦେଇ ଦୈନିକ ବହୁ ବଡ଼ ବଡ଼ ଯାନବାହନ ଯାତାୟାତ କରୁଛି। ରାସ୍ତାରେ ଭାରିଯାନ ଅଧିକ ଯାତାୟାତ କରୁଥିବାରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେଉଛି। ରାସ୍ତା ଫାଟି ଆଁ କରିବା ସହ ଯାତାୟାତରେ ବାଧା ଉପୁଜୁଛି। ହରିପୁର ବଜାର ଅଞ୍ଚଳରେ ରାସ୍ତା ଅଣଓସାରିଆ ଓ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି। ଖାଲଖମାରେ ପାଣି ଜମି ରହିବାରୁ ବଜାର ଅଞ୍ଚଳରେ ଏକାଧିକ ଛୋଟବଡ଼ ଦୁର୍ଘଟଣା ଘଟିଥିବା ଲକ୍ଷ୍ୟ କରାଯାଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।