Categories: ଜାତୀୟ

ଟୁଇଟର ବାୟୋରୁ ଦଳର ନାମ ହଟାଇଲେ ହାର୍ଦ୍ଦିକ

ଗାନ୍ଧୀନଗର,୨।୫: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଧରଣର ଝଟ୍‌କା ଲାଗିପାରେ। କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କ ଦଳ ଛାଡିବା ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ବର୍ତ୍ତମାନ ଆହୁରି ବଢ଼ିଯାଇଛି। ହାର୍ଦ୍ଦିକ ତାଙ୍କ ଟୁଇଟର ବାୟୋରୁ ଦଳର ନାମ ଏବଂ ପୋଷ୍ଟ ହଟାଇ ଦେଇଥିବା ଦେଖିବାକୁ ମିଳିଛି। କୁହାଯାଉଛି, ଗତ କିଛି ଦିନରୁ ହାର୍ଦ୍ଦିକ କଂଗ୍ରେସ ଦଳ ଉପରେ ଅସନ୍ତୋଷ ରହିଛନ୍ତି। ସୂଚନାଯୋଗ୍ୟ, ସୋମବାର ହାର୍ଦ୍ଦିକ ପଟେଲ ତାଙ୍କ ଟୁଇଟର ବାୟୋରୁ କଂଗ୍ରେସର ନାମ ହଟାଇ ନିଜକୁ ଜଣେ ଗର୍ବିତ ଭାରତୀୟ ଦେଶପ୍ରେମୀ ବୋଲି ଲେଖିଛନ୍ତି। ଏଥିସହ ନିଜକୁ ଜଣେ ସାମାଜିକ ତଥା ରାଜନୈତିକ କାର୍ଯ୍ୟକର୍ତ୍ତା ଦର୍ଶାଇବା ସହ ଯିଏ ଏକ ଉନ୍ନତ ଭାରତ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ହାର୍ଦ୍ଦିକ ନିଜ ବାୟୋରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ତାଙ୍କ ବାୟୋରେ ଏହି ସବୁ ରଖିଥିଲେ। କିନ୍ତୁ ଏହା ସହିତ ସେ ବାୟୋରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ଯାହାକୁ ବର୍ତ୍ତମାନ ସେ ହଟାଇ ଦେଇଛନ୍ତି। ତେବେ ଏଥିରୁ ହାର୍ଦ୍ଦିକଙ୍କ ଅସନ୍ତୋଷ କଥା ସ୍ପଷ୍ଟ ବାରି ହୋଇପଡ଼ୁଛି। ଅନ୍ୟପଟେ ହାର୍ଦ୍ଦିକ ପଟେଲଙ୍କ ବାୟୋରୁ କଂଗ୍ରେସର ନାମ ହଟାଇବା ଏକ ବଡ ସଙ୍କେତ ଯେ, ସେ ଖୁବ୍‌ଶୀଘ୍ର ଏକ ବଡ ଘୋଷଣା କରିପାରନ୍ତି। ଏହାପୂର୍ବରୁ କୁହାଯାଉଥିଲା ଯେ, ଗୁଜୁରାଟ କଂଗ୍ରେସର ନେତାଙ୍କ ସହ ହାର୍ଦ୍ଦିକ ପଟେଲ ଖୁସି ନୁହଁନ୍ତି ଏବଂ ସେ ମଧ୍ୟ ଏହି ସୂଚନା ଦିଲ୍ଲୀ ପର୍ଯ୍ୟନ୍ତ ବହଞ୍ଚାଇଥିଲେ। କିନ୍ତୁ କୌଣସି ସମାଧାନ ହୋଇପାରି ନ ଥିଲା। ସୂଚନା ମୁତାବକ, ଗୁଜୁରାଟର ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦିଅନ୍ତି, ତେବେ ସେ ଭାଜପାରେ ଯୋଗ ଦେଇପାରନ୍ତି। ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଭାଜପା ଦଳରେ ଯୋଗଦେବା ଲାଭଦାୟକ ହୋଇପାରେ। ଏହାପୂର୍ବରୁ ହାର୍ଦ୍ଦିକ ପଟେଲ ମଧ୍ୟ ଖୋଲାଖୋଲି ଭାବେ ଭାଜପାର ଅନେକ ନିଷ୍ପତ୍ତିକୁ ପ୍ରଶଂସା କରିଥିବା ନଜିର ରହିଛି।

Share