Categories: ଖେଳ

ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…

ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଦୀପକ ହୁଦା(୧୦୪) ଏବଂ ସଞ୍ଜୁ ସାମସନ୍‌(୭୭)ଙ୍କ ରେକର୍ଡ ପାର୍ଟନରଶିପ୍‌ ଯୋଗୁ ଦଳ ୨୨୫/୭ ସ୍କୋର କରିଥିଲା। ଜବାବରେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୨୧ ରନ୍‌ କରିପାରିଥିଲା। ବିଜୟ ଲାଗି ଶେଷ ବଲରୁ ୧ ଛକା ଆବଶ୍ୟକ କରୁଥିଲା ଆୟର୍ଲାଣ୍ଡ। ମାତ୍ର ଉମ୍ରାନ ମଲିକଙ୍କ ବଲ୍‌ରୁ ମାତ୍ର ୧ ରନ୍‌ କରିପାରିଥିଲେ ମାର୍କ ଆଡେର। ଶେଷରେ ଭାରତର ବିଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଉମ୍ରାନଙ୍କୁ କାହିଁକି ଅନ୍ତିମ ଓଭର କରାଇଥିବା ନେଇ ବୟାନ ଦେଇଛନ୍ତି।

ହାର୍ଦ୍ଦିକ କହିଛନ୍ତି, ଉମ୍ରାନଙ୍କୁ ଶେଷ ଓଭରରେ ବୋଲିଂ କରିବାକୁ ଛାଡ଼ିବାକୁ ନେଇ ଚିନ୍ତାରେ ନ ଥିଲି। ତାଙ୍କ ନିକଟରେ ଗତି ଥିବା ଯୋଗୁ ସମର୍ଥନ କରିଥିଲି। ଶେଷରେ ସଫଳ ହେଲୁ। ଅପରପକ୍ଷେ ଆୟର୍ଲାଣ୍ଡ ଖେଳାଳିମାନେ ବହୁତ ଭଲ ଖେଳିଲେ। ଏଠାକାର ଦର୍ଶକ ବହୁତ ଭଲ। ଦିନେଶ କାର୍ତ୍ତିକ ଏବଂ ସଞ୍ଜୁ ତାଙ୍କର ପ୍ରିୟ ଖେଳାଳି ଥିଲେ। ଦର୍ଶକ ମ୍ୟାଚ୍‌କୁ ଉପଭୋଗ କରୁଥିବା ଦେଖି ଖୁସି ଲାଗିଲା। ପ୍ରଶଂସକମାନଙ୍କୁ ଧନ୍ୟବାଦ। ନୂଆ ଖେଳାଳିଙ୍କ ଉପରେ ଗର୍ବ ଲାଗୁଛି। ହୁଦାଙ୍କ ପାଇଁ ଖୁସି। ପିଲାବେଳୁ ଦେଶ ପାଇଁ ଖେଳିବା ସମସ୍ତଙ୍କ ସ୍ବପ୍ନ ଥାଏ। ଏମିତିରେ ଦଳର ନେତୃତ୍ୱ ନେବା, ପ୍ରଥମ ବିଜୟ ଏବଂ ପ୍ରଥମ ସିରିଜ ଜିତିବା ସ୍ବତନ୍ତ୍ର ହୋଇ ରହିବ ବୋଲି ସେ କହିଛନ୍ତି।

Share