Categories: ଖେଳ

ନିଜ ଦୁଃଖ ବଖାଣିଲେ ହାର୍ଦ୍ଦିକ ପାଣ୍ଡ୍ୟା, ୩ ଇଞ୍ଜେକ୍ସନ ନେବା ପରେ ବି…

ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ହେବ ପଡ଼ିଆରୁ ଦୂରେଇ ରହିଛନ୍ତି। ଅବଶ୍ୟ ଆଇପିଏଲ ୨୦୨୪ ସିଜିନ୍‌ରୁ ସେ ପଡିଆକୁ ଫେରିବେ। ଏହି ସିଜିନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଛି। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଆହତ ହୋଇଥିଲେ। ସେବେଠାରୁ ସେ କ୍ରିକେଟ ପଡ଼ିଆଠାରୁ ଦୂରରେ ଅଛନ୍ତି। ତେବେ ବର୍ତ୍ତମାନ ଏହି ଅଲରାଉଣ୍ଡର ଆହତ ହେବା ପରେ ବିଶ୍ୱକପ ନ ଖେଳିବା ଦୁଃଖ ପ୍ରକାଶ କରିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ବାଂଲାଦେଶ ବିପକ୍ଷରେ ଆହତ ହେବା ପରେ ମୁଁ ଦଳ ପରିଚାଳନାକୁ କହିଥିଲି ଯେ ମୁଁ ୫ ଦିନ ପରେ ଫେରିବି। ମୋ ଗୋଡରୁ ରକ୍ତ ଧାର ଧାର ହୋଇ ବୋହୁଥିଲା। ଏହା ପରେ ମୁଁ ମୋ ଗୋଡରେ ୩ଟି ଇଞ୍ଜେକ୍ସନ ନେଇଥିଲି। କିନ୍ତୁ ଖେଳିବାକୁ ସକ୍ଷମ ହୋଇ ନ ଥିଲି। ମୁଁ ନିଜେ ଚାଲିବାକୁ ସକ୍ଷମ ଥିଲି। ଆଘାତ ପରେ ୧୦ଦିନ ପର୍ଯ୍ୟନ୍ତ ମୁଁ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲି, କିନ୍ତୁ ଫିଟ ହୋଇପାରିଲି ନାହିଁ। ମୋ ଦେଶ ପାଇଁ ଖେଳିବା ମୋ ପାଇଁ ସବୁଠାରୁ ଗର୍ବର ବିଷୟ, କିନ୍ତୁ ମୁଁ ଫିଟ ହୋଇପାରିଲି ନାହିଁ।
ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ନଜର ଆସିବେ। ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରୁ ସିଜିନ ଆରମ୍ଭ କରିବ। ମାର୍ଚ୍ଚ ୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ।

Share