Categories: Home Leftଖେଳ

IPL ୨୦୨୭ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା, ଆସିଲା ବଡ଼ ବଡ଼ ଖବର!

ମୁମ୍ବାଇ,୨୧।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ସମୟ ଧରି କ୍ରିକେଟଠାରୁ ଦୂରେଇ ରହିପାରନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କର ପ୍ରତ୍ୟାବର୍ତ୍ତନ ସିଧାସଳଖ IPL ୨୦୨୭ରେ ହୋଇପାରେ। ବର୍ତ୍ତମାନ ହାର୍ଦ୍ଦିକ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ ଏକ୍ସଲେନ୍ସ (COE)ରେ ରିହାବିଲିଟେସନରେ ଅଛନ୍ତି। ତାଙ୍କ ପିଣ୍ଡିର ଭିତର ପାର୍ଶ୍ୱରେ ଷ୍ଟ୍ରେସ ଇଞ୍ଜୁରି ହୋଇଥିବା ଜଣାପଡ଼ିଛି। ସଦ୍ୟ ମେଡିକାଲ ଯାଞ୍ଚ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ଆହୁରି ଅନେକ ମାସ ଲାଗିପାରେ ବୋଲି ଖବର ଆସିଛି।

ଗତ ୨ରୁ ୩ ବର୍ଷ ହେଲା ହାର୍ଦ୍ଦିକଙ୍କ ପାଇଁ ସମୟ ଭଲ ରହିନାହିଁ। ୨୦୨୬ IPLରେ ମଧ୍ୟ ଆଘାତ କାରଣରୁ ସେ କିଛି ମ୍ୟାଚ ଖେଳିପାରି ନଥିଲେ। ଆଇପିଏଲ ପରେ ମଧ୍ୟ ସେ କ୍ରିକେଟକୁ ଫେରିପାରି ନାହାନ୍ତି।

ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକଙ୍କ ଫିଟ୍‌ନେସ୍‌କୁ ନେଇ ମେଡିକାଲ ଟିମ ସତର୍କ ଆଭିମୁଖ୍ୟ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ପ୍ରତ୍ୟାବର୍ତ୍ତନର କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇନାହିଁ। ତାଙ୍କ ସୁସ୍ଥତାକୁ ନେଇ ତରବରିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ମେଡିକାଲ ଟିମ ପକ୍ଷରୁ କୁହାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଆଘାତ ଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବାରୁ ବଞ୍ଚିତ ହୋଇପାରନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କୁ ସୁସ୍ଥ ହେବାକୁ ଆହୁରି ଅଧିକ ସମୟ ଲାଗିପାରେ। ତେଣୁ ଶ୍ରୀଲଙ୍କା ଏବଂ ପରେ ଜିମ୍ବାୱେ ବିପକ୍ଷ ହୱାଇଟ ବଲ ସିରିଜରେ ମଧ୍ୟ ତାଙ୍କ ପ୍ରତ୍ୟାବର୍ତ୍ତନ କଷ୍ଟକର ହୋଇପାରେ।

ଜାନୁଆରୀ ମଧ୍ୟଭାଗ ସୁଦ୍ଧା ଭାରତର ଘରୋଇ କ୍ରିକେଟରେ ହୱାଇଟ ବଲ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ଶେଷ ହୋଇଯାଇଥିବ। ଏହାପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହ ୫ଟି ଟେଷ୍ଟ ମ୍ୟାଚରେ ସିରିଜ ଖେଳିବ। ତେବେ ହାର୍ଦ୍ଦିକ ଟେଷ୍ଟ କ୍ରିକେଟ ଖେଳୁନଥିବାରୁ ଏହି ସିରିଜରେ ତାଙ୍କର ଖେଳିବାର ପ୍ରଶ୍ନ ଉଠୁନାହିଁ।
ଏପରି ସ୍ଥିତିରେ ହାର୍ଦ୍ଦିକ IPL ୨୦୨୭ ପୂର୍ବରୁ ଫିଟ ହୋଇଗଲେ ମଧ୍ୟ ଦଳର କାର୍ଯ୍ୟସୂଚୀ ଯୋଗୁଁ ଟିମ ଇଣ୍ଡିଆକୁ ଫେରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ଏବେ ସମସ୍ତଙ୍କ ନଜର ହାର୍ଦ୍ଦିକଙ୍କ ଫିଟ୍ନେସ ଏବଂ ମେଡିକାଲ ଟିମର ପରବର୍ତ୍ତୀ ନିଷ୍ପତ୍ତି ଉପରେ।

Dharitri – Odisha’s No.1 Odia Daily

Share