Categories: ଖେଳ

ହାର୍ଦ୍ଦିକଙ୍କ କ୍ୟାଚ୍‌ ଯୋଗୁ ବଢ଼ିଥିଲା ମୁମ୍ବାଇ ଇଣ୍ଡିଆନ ଜିତିବାର ସମ୍ଭାବନା: ଚକିତ ହୋଇଥିଲେ କେକେଆର୍‌ ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କେକେଆର୍‌କୁ ୪୯ ରନ୍‌ରେ ପରାସ୍ତ କରିଛି। ତେବେ ଏଥିରେ ଜଣେ ଖେଳାଳି ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି। ସେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା।
ହାର୍ଦ୍ଦିକ ହିଟଓ୍ବିକେଟ୍‌ ହେବା ପରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ସେ ଫିଲ୍ଡିଂ କରି ଏକ ଭଲ କ୍ୟାଚ୍‌ ନେଇଥିଲେ। ଏହି କ୍ୟାଚ୍‌ଟି ମ୍ୟାଚ୍‌ର ସ୍ଥିତିକୁ ବଦଳାଇ ଦେଇଥିଲା। ପରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌କୁ ୪୯ ରନ୍‌ରେ ଜିତି ନେଇଥିଲା।

ମ୍ୟାଚ୍‌କୁ ଜିତିବାକୁ ଏମ୍‌ଆଇ ୧୯୬ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ୧୧ ଓଭରରେ କେକେଆର୍‌ ୩ ଓ୍ବିକେଟ୍‌ରେ ୭୨ ରନ୍‌ କରିଥିଲା। ପଡ଼ିଆରେ ନୀତିଶ ରାଣା ଏବଂ ଇୟୋନ ମାର୍ଗନ ଥିଲେ। ନୀତିଶ ଭଲ ଖେଳୁଥିବା ବେଳେ ୧୨ ଓଭରରେ କିରୋନ ପୋଲାର୍ଡଙ୍କ ବଲ୍‌ରେ ସେ ଲମ୍ବା ଶଟ୍‌ ମାରିଥିଲେ। ହେଲେ ବଲ୍‌ଟିର ଗତି ଧିର ଥିବାରୁ ଏହା ଛକା ନ ହୋଇ ସୀମାରେଖା ନିକଟରେ ପଡ଼ିବାକୁ ଯାଉଥିଲା। ହାର୍ଦ୍ଦିକ ଏହା ଅନୁମାନ କରି ପଛକୁ ଯାଇ କ୍ୟାଚ୍‌ ଧରିବାରେ ସଫଳ ହୋଇଥିଲେ। ଏହା କେକେଆର୍‌ ଖେଳାଳିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

Share