ସର୍ଚ୍ଚ ଅପରେଶନ ବେଳେ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୩ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଧାମତରୀ ପୋଲିସ ସର୍ଚ୍ଚ ଅପରେଶନ ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ତାଙ୍କ ନାମ ମୁକେଶ ଓରଫ ସୁକଲୁଗାୱାଡେ। ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଖବରରୁ ଜଣାପଡିଛି ଧାମତରୀ ଥାନା ଅନ୍ତର୍ଗତ ଧଡ଼ପଦରିପାନି ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ସୂଚନା ପାଇ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଧଡ଼ପଦରିପାନି ଜଙ୍ଗଲରେ ବୁଲୁଥିବା ଯବାନମାନେ ଦେଖିବାକୁ ପାଇଥିଲେ। ତେବେ ସେ ପୋଲିସକୁ ଦେଖି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଯବାନମାନେ ତାଙ୍କୁ କାବୁ କରିନେଇଥିଲେ। ତାଙ୍କୁ ପଚରାଉଚରା କରିବାରୁ ସେ ନିଜ ନାମ ମୁକେଶ ଓରଫ ସୁକଲୁଗାୱାଡେ ବୋଲି କହିଥିଲେ। ସୁକଲୁ ମାଓବାଦୀ କ୍ଷେତ୍ର କମିଟିର ପ୍ଲାଟୁନ ନମ୍ବର ୨୫ର ଡେପୁଟି କମାଣ୍ଡର ଥିଲେ।