ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ ଜାଣିଛନ୍ତି, ସେ ଜଣେ ଭାବପ୍ରବଣ ବ୍ୟକ୍ତି, ଯିଏ ନିଜ ମନର କଥା ଖୋଲାଖୋଲି ଭାବରେ କହିଥାନ୍ତି ଏବଂ ତାଙ୍କର ଏହି ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସି ନପାରେ । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳକୁ କିଛି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସିରିଜରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି ।

ଏହା ପରେ ବିଶେଷ କରି ଟେଷ୍ଟ ଦଳର ପ୍ରଦର୍ଶନକୁ ନେଇ କ୍ରିକେଟ୍ ପ୍ରଶଂସକ ଏବଂ ବିଶେଷଜ୍ଞମାନେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗମ୍ଭୀରଙ୍କ ଆକ୍ରମଣାତ୍ମକ ପ୍ରତିଛବି ପଛର ପ୍ରକୃତ ମନୁଷ୍ୟ ବିଷୟରେ ଯେତେବେଳେ ହରଭଜନଙ୍କୁ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ, “ଗୌତମଙ୍କୁ ଏତେ ସମାଲୋଚନା କାହିଁକି ସହିବାକୁ ପଡ଼ୁଛି, ମୁଁ ଏହା କେବେ ବୁଝିପାରି ନାହିଁ। ଯେତେବେଳେ ଦଳ ଭଲ ପ୍ରଦର୍ଶନ କରେ ନାହିଁ, ସେତେବେଳେ ଲୋକମାନେ ସର୍ବଦା ପ୍ରଶିକ୍ଷକଙ୍କୁ ହିଁ କାହିଁକି ଦୋଷ ଦେଇଥାନ୍ତି ? ମୁଁ ଗୌତମଙ୍କୁ ଯେତେ ଜାଣିଛି, ସେ ତାଙ୍କ ସମୟର ଜୋସ୍ ଏବଂ ଜୁନିୟର୍ ଖେଳାଳିଙ୍କୁ ପ୍ରାଥମିକତା ଦେଉଥିବା ଜଣେ ଖେଳାଳି ଥିଲେ, ଯିଏ ସବୁବେଳେ ଦଳକୁ ପ୍ରଥମେ ରଖୁଥିଲେ।”

ହରଭଜନ ମନେ ପକାଇଛନ୍ତି ଯେ ଗମ୍ଭୀର ଯେତେବେଳେ ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଥିଲେ, ସେତେବେଳେ ସେ ଇନଟ୍ରୋଭଟ ଥିଲେ ଏବଂ କିଛି ବନ୍ଧୁଙ୍କୁ ନେଇ ଏକ ଘନିଷ୍ଠ ଗ୍ରୁପ୍ ପ୍ରସ୍ତୁତ କରିଥିଲେ। ସେ କହିଛନ୍ତି “ଯେତେବେଳେ ଗମ୍ଭୀର ଜଣେ ଯୁବ ଖେଳାଳି ଭାବରେ ଦଳକୁ ଆସିଥିଲେ, ସେତେବେଳେ ସେ କିଛି ମନୋନୀତ ଖେଳାଳିଙ୍କ ସହ ହିଁ କଥା ହେଉଥିଲେ ଏବଂ ସେମାନଙ୍କ ସହ ସମୟ ବିତାଉଥିଲେ। ସେହି ଦିନଗୁଡ଼ିକରେ ତାଙ୍କର ବନ୍ଧୁମାନେ ବୀରୁ (ବୀରେନ୍ଦ୍ର ସେହୱାଗ), ଅମିତ ମିଶ୍ର ଏବଂ ମୁନାଫ ପଟେଲ୍ ଥିଲେ। ମୁଁ ଜାଣିନି ଯେ ସେମାନେ ବର୍ତ୍ତମାନ ମଧ୍ୟ ବନ୍ଧୁ ଅଛନ୍ତି କି ନାହିଁ, କିନ୍ତୁ ମୁଁ ଭାବୁଛି ସେମାନେ ଏବେ ମଧ୍ୟ ବନ୍ଧୁ ଥିବେ।”

ଗମ୍ଭୀରଙ୍କ ବ୍ୟବହାରକୁ ନେଇ ହରଭଜନ କହିଛନ୍ତି, “ଗୌତମ ବହୁତ ଭଲ ବ୍ୟକ୍ତି। ସେ ବହୁତ ସ୍ପଷ୍ଟବାଦୀ ଅଟନ୍ତି । ଅନେକ ଲୋକଙ୍କୁ ଏହା ଲାଗିପାରେ ଯେ ଗୌତମ କଟୁ କଥା କହୁଛନ୍ତି, କିନ୍ତୁ ସେ ଯାହା କହନ୍ତି ତାହା କଟୁ ସତ୍ୟ ଅଟେ । ଅନେକ ଲୋକ ସତକୁ ହଜମ କରିପାରନ୍ତି ନାହିଁ ଏବଂ ସମ୍ଭବତଃ ତାଙ୍କ କଥାର ଢ଼ଙ୍ଗ ଦେଖି ଲୋକମାନେ ଭାବନ୍ତି ଯେ ସେ ଜଣେ ଟିକେ କଠୋର ବ୍ୟକ୍ତି।”

 

Dharitri – Odisha’s No.1 Odia Daily

Share