Categories: ଜାତୀୟ

ଭାଜପାରୁ ୬ ବର୍ଷ ପାଇଁ ନିଲମ୍ବିତ ହେଲେ ହରକ, କଂଗ୍ରେସରେ ହୋଇପାରନ୍ତି ସାମିଲ

ଡେରାଡୁନ,୧୭ ।୧: କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ୨୦୧୬ରେ ଭାରତୀୟ ଜନତାପାର୍ଟି (ଭାଜପା)ର ହାତ ଧରିଥିଲେ ହରକ ସିଂ ରାୱତ । ଏବେ ଭାଜପା ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି । ଉତ୍ତରାଖଣ୍ଡ ଭାଜପାର ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକ ଏହି ଖବର ଦେଇଛନ୍ତି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଏଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କଂଗ୍ରେସ ନେତାଙ୍କ ସହ ହରକଙ୍କ ସମ୍ପର୍କ ଥିବା ଅନୁମାନ କରାଯାଇ ଏଭଳି ପଦକ୍ଷେପ ନେଇଛି ଭାଜପା । ଅନୁମାନ କରାଯାଉଛି କି ସୋମବାର ହରକ ସିଂ କଂଗ୍ରେସରେ ଯୋଗ ଦେଇପାରନ୍ତି । ଆଲୋଚନା ହେଉଛି କି ନିକଟରେ ହରକ ସିଂ କ୍ୟାବିନେଟରୁ ଇସ୍ତଫା ଦେଇଦେଇଥିଲେ । ହେଲେ ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନ ଥିଲେ । କିନ୍ତୁ ସେ ସ୍ଥିର କରିଥିଲେ ଭାଜପା ହାତ ଛାଡିବେ ବୋଲି । ଏବେ ତାଙ୍କୁ ଦଳ ବିରୋଧି କାର୍ଯ୍ୟକଳାପ କଥା ଦର୍ଶାଇ ଦଳରୁ ନିଲମ୍ବିତ କରାଯାଇଛି ।

Share