ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା ଘଟିଛି। ମୃତା ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ଦୁଆଡିଆ ଗ୍ରାମର ପ୍ରଭାକର ସ୍ବାଇଁଙ୍କ ବଡ଼ ଝିଅ ସନ୍ତୋଷୀ (୨୩)। ବଳେଇପୁର ଗ୍ରାମର ସୁନ୍ଦରା ମହାପାତ୍ରଙ୍କ ପୁଅ କୈଳାସଙ୍କ ସହ ଶୁକ୍ରବାର ବୈଦିକ ରୀତିରେ ସନ୍ତୋଷୀଙ୍କ ବିବାହ ହୋଇଥିଲା। ସୋମବାର ଚତୁର୍ଥୀ ଥିଲା। ମାତ୍ର ସନ୍ତୋଷୀ ଶୋଇବା ଘର କବାଟ ଦେଇ ପଙ୍ଖାରେ ଝୁଲି ପଡ଼ିଥିଲେ। ଶାଶୁଘର ଲୋକେ ଏହା ଜାଣିବା ପରେ ତାଙ୍କ ପରିବାର ସଦସ୍ୟ ଓ କୁଜଙ୍ଗ ପୋଲିସକୁ ଜଣାଇଥିଲେ। ଏହାପରେ ପୋଲିସ ପହଞ୍ଚତ୍ ଗ୍ରାମର ଭଦ୍ର ଲୋକଙ୍କ ଉପସ୍ଥିତିରେ କବାଟ ଖୋଲିଥିଲେ। ଏ ସମ୍ପର୍କରେ ସନ୍ତୋଷୀଙ୍କ ମା’ ଉର୍ମିଳା ସ୍ବାଇଁ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅପମୃତ୍ୟୁ ମାମଲା (ନଂ. ୧୨/୨୬) ରୁଜୁ କରିଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ କରି ଶାଶୁଘର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାପରେ ବଳେଇପୁର ଗ୍ରାମ ଶ୍ମଶାନରେ ସନ୍ତୋଷୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବା ବେଳେ କୌଣସି କାରଣରୁ ସନ୍ତୋଷୀ ବିବାହରେ ଖୁସି ନ ଥିବାରୁ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

 

Share