କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି, ପ୍ରତିଶ୍ରୁତିର ପାହାଡ଼ ଠିଆ ହେଉଛି, କିନ୍ତୁ ବଦଳୁନି ଗଞ୍ଜାମ ଜିଲାର ଦାଦନ ଶ୍ରମିକଙ୍କ ଭାଗ୍ୟ। ଭିଟାମାଟିରେ ରୋଜଗାର ନ ପାଇ ପେଟପାଟଣା ପାଇଁ ସାତ ସମୁଦ୍ର ତେର ନଦୀ ପାରି ହୋଇଥିବା ପୁଅ ଆଜି ଫେରୁଛି ଶବ ହୋଇ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ। ଖଲ୍ଲିକୋଟର ଉତ୍ତମ ଗୌଡ଼ଙ୍କ ଏହି କରୁଣ କାହାଣୀ ପୁଣି ଥରେ ଦାଦନ ଯନ୍ତ୍ରଣାର ନଗ୍ନଚିତ୍ରକୁ ପଦାରେ ପକାଇଛି। ଘର କାନ୍ଥରେ ଏବେ ବି ଜଳଜଳ ହୋଇ ଦିଶୁଛି ‘ଶୁଭ ବିବାହ’ର ଲେଖା। ଚିତ୍ରର ରଙ୍ଗ ବି ଶୁଖିନି, କିନ୍ତୁ ତା’ ଭିତରେ ସବୁଦିନ ପାଇଁ ଲିଭିଯାଇଛି ଜଣେ ସ୍ତ୍ରୀଙ୍କ ସିନ୍ଦୂର।

୪ ବର୍ଷ ତଳେ ସ୍ତ୍ରୀ ସାଗରିକାଙ୍କ ହାତ ଧରିଥିଲେ ଉତ୍ତମ। ସ୍ୱାମୀଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ସାଗରିକା ଚଟାଣରେ ମୁଣ୍ଡ ପିଟି କାନ୍ଦୁଛନ୍ତି। କାନ୍ଦି କାନ୍ଦି ଅଚେତ ହୋଇପଡ଼ୁଛନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ବାପା-ମାଆ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସବୁଠାରୁ ହୃଦୟବିଦାରକ ଦୃଶ୍ୟ ସାଜିଛି ଉତ୍ତମଙ୍କ ୩ ବର୍ଷର କୋମଳମତି ପୁଅ। କିଛି ବୁଝିବା ଆଗରୁ ହୋଇଯାଇଛି ବାପାଛେଉଣ୍ଡ।

ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିବା ପାଇଁ ଟିକେଟ୍‌ ମଧ୍ୟ କାଟିସାରିଥିଲେ ଉତ୍ତମ। ଭଉଣୀ ଝରଣାଙ୍କୁ ଫୋନ୍‌ କରି ଖୁସିରେ କହିଥିଲେ, “ମୁଁ ଓଡ଼ିଶା ଫେରିଲେ ତୁମେ ସମସ୍ତେ ଭୁବନେଶ୍ୱର ଏୟାରପୋର୍ଟକୁ ଆସିବ ମୋତେ ନେବା ପାଇଁ।”

ଗତ ଦୁଇ ବର୍ଷ ହେଲା ଭାଇଙ୍କ ହାତରେ ରାଖୀ ବାନ୍ଧି ନ ଥିବା ଭଉଣୀଙ୍କ ମନରେ ଅନେକ ଆଶା ଥିଲା। ଏଥର ଭାଇ ଘରକୁ ଆସିଲେ ନିଶ୍ଚୟ ରାଖୀ ବାନ୍ଧିବେ ବୋଲି ସେ ଭାବିଥିଲେ। କିନ୍ତୁ ସବୁ ଆଶା ଧୂଳିସାତ୍ ହୋଇଗଲା।

ଦୁବାଇରେ ଏକ କମ୍ପାନୀରେ କାମ କରୁଥିବା ସମୟରେ ଉତ୍ତମ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର  ଦୁବାଇରୁ ଫୋନ୍‌ ଆସିଲା—ଉତ୍ତମ ଆଉ ନାହାନ୍ତି।

ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଫାସୁଳା ଗାଁର କୈଳାଶ ଗୌଡ଼ଙ୍କ ଏକମାତ୍ର ରୋଜଗାରିଆ ପୁଅ ଥିଲେ ଉତ୍ତମ। ଦୁଇ ପଇସା ରୋଜଗାର କରି ପରିବାରକୁ ହସଖୁସିରେ ରଖିବେ ବୋଲି ସେ ଭାବିଥିଲେ। କିନ୍ତୁ ବିଧିର ବିଧାନ ଥିଲା ସମ୍ପୂର୍ଣ୍ଣ ଅଲଗା।

ଏବେ ଉତ୍ତମଙ୍କ ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ପରିବାର ପକ୍ଷରୁ ଗୁହାରି କରାଯାଇଛି। ଏଥିସହ ଭାଙ୍ଗିପଡ଼ିଥିବା ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି।

Dharitri – Odisha’s No.1 Odia Daily

Share