ଆଡଲ୍ଟ ଚରିତ୍ରରେ ଅଭିନୟ କରି ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ ବିଦ୍ୟା

ମୁମ୍ବାଇ: ବର୍ଷ ଆରମ୍ଭରେ ଜନ୍ମଦିନ ପାଳନ କରିଛନ୍ତି ବଲିଉଡର ଡାର୍ଟି ଗର୍ଲ ବିଦ୍ୟା ବଲାନ । ୪୩ ବର୍ଷରେ ପାଦ ଦେଇଥିବା ବିଦ୍ୟା ଡାର୍ଟି ପିକଚର, ଇସ୍କିୟା, ପା ଭଳି ଫିଲ୍ମ ଭେଟିଦେଇ ଦର୍ଶକଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ଏମିତି ସମୟ ଥିଲା ଯେତେବେଳେ ବିଦ୍ୟା ଭାବୁଥିଲେ ତାଙ୍କୁ ଆଉ ହାଲକା ଫୁଲକା ଚରିତ୍ର ମିଳିବ ନାହିଁ । ହେଲେ ସବୁପ୍ରକାର ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣି ନେଇଥିଲେ । ମୁମ୍ବାଇର ଚେମ୍ବୁରରେ ଏକ ତାମିଲ ପରିବାରରେ ଜନ୍ମ ବିଦ୍ୟାଙ୍କର । ମାତ୍ର ୧୬ ବର୍ଷ ବୟସରେ ଏକତା କପୁରଙ୍କ ଟେଲିଭିଜନ ସିରିଏଲ ‘ହମ ପାଞ୍ଚ’ରୁ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ତାଙ୍କର ନଜର ଥିଲା ବଡ ପରଦା ଉପରେ । ମାଲୟାଲମ ଓ ତାମିଲ ଫିଲ୍ମରେ ଅନେକ ଥର ଚେଷ୍ଟା କରି ବି ସଫଳ ହୋଇ ନ ଥିଲେ ବିଦ୍ୟା । ଏମିତିକି ଏକ ମାଲୟାଲମ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଏହା କୌଣସି କାରଣ ବଶତଃ ରିଲିଜ୍ ହୋଇ ନ ଥିଲା । ଏହାପରେ ବିଦ୍ୟାଙ୍କୁ ସମସ୍ତେ ଅମଙ୍ଗଳ ବୋଲି କହିଥିଲେ । ହେଲେ ବହୁ ସଂଘର୍ଷ ପରେ ବିଦ୍ୟା ଏଣ୍ଟ୍ରି କଲେ ବଲିଉଡରେ । ‘ହେ ବେବି’ ଓ ‘କିସମତ କନେକ୍ସନ’ ବିଦ୍ୟାଙ୍କୁ ଦେଲା ଭିନ୍ନ ପରିଚୟ । ତେବେ ନିଜର ଓଜନ ଓ ଓଜନଦାର ଗହଣାକୁ ପସନ୍ଦ କରୁଥିବା ବିଦ୍ୟାଙ୍କର ବହୁ ସମାଲୋଚନା କରାଯାଇଥିଲା । ଏହାପରେ ସେ ଇଣ୍ଡଷ୍ଟ୍ରି ଛାଡିଦେବା କଥା ଚିନ୍ତା କରିଥିଲେ । ହେଲେ କ୍ୟାରିୟର ଆରମ୍ଭରେ ‘ପରିଣିତା’ ଓ ‘ମୁନ୍ନା ଭାଇ’ରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା । ଏହାପରେ ସେ ଆଉ ପଛକୁ ନାହିଁ ଆଗକୁ ଯିବାକୁ ସ୍ଥିର କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଥିବା ବିଦ୍ୟା ୨୦୧୧ରେ ସିଲକ୍ ସ୍ମିତାଙ୍କ ବାୟୋପିକ୍ ‘ଦ ଡାର୍ଟି ପିକଚର’ରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଅଭିନେତ୍ରୀଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା । ଯଦିଓ ସିଲ୍କ ସ୍ମିତାଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଟିକେ କଷ୍ଟକର ଥିଲା ଏହାପରେ ବି ସେ ନିଜର ସମସ୍ତ ଚେଷ୍ଟା ଏଥିରେ ଲଗାଇ ଦେଇଥିଲେ । ଆଉ ସଫଳ ବି ହୋଇଥିଲେ । ସବୁଠୁ ମିଳିଥିଲା ବିଦ୍ୟାଙ୍କୁ କେବଳ ପ୍ରଶଂସା ହିଁ ପ୍ରଶଂସା । ୨୦୧୨, ଡିସେମ୍ବର ୧୪ରେ ବିଦ୍ୟା ବିବାହ କରିଥିଲେ ସିଦ୍ଧାର୍ଥ ରୟ କପୁରଙ୍କୁ । ଫିଲ୍ମ ଫେୟାର ଆୱାର୍ଡରେ ଉଭୟଙ୍କ ମଧ୍ୟରେ ସାକ୍ଷାତ୍ ହୋଇଥିବା ବେଳେ ପ୍ରଥମେ ବନ୍ଧୁ ଓ ପରେ ପତ୍ନୀ ପତି ହୋଇ ଯାଇଥିଲେ ବିଦ୍ୟା-ସିଦ୍ଧାର୍ଥ । ଏବେ ବିଦ୍ୟାଙ୍କ ହାତରେ କମ୍ ଅଫର ଥିଲେ ବି ସେ ବଲିଉଡର ଜଣେ ଆଗଧାଡିର ନାୟିକା ତାଲିକାରେ ରହିଛନ୍ତି ।

Share