ନିଜଠାରୁ ୧୪ ବର୍ଷ ବଡ଼ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଗାୟିକା, ବର୍ଷେ ପରେ ଘଟିଥିଲା ଏମିତି…

ମୁମ୍ବାଇ: ଆଜି ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ସୁନିଧିଙ୍କ ବିଷୟରେ କିଛି କଥା…


ସୁନିଧି ତାଙ୍କର ନିଆରା କଣ୍ଠସ୍ବରରେ ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି। ସେ ବଲିଉଡ୍‌ରେ ଅନେକ ହିନ୍ଦୀ ଗୀତ ଗାଇଥିବା ବେଳେ ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗାଳୀ, ଆସାମ, ନେପାଳୀ ଏବଂ ଊର୍ଦ୍ଦୁ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଜଣେ ଫ୍ୟାଶନ ଆଇକନ ମଧ୍ୟ।


ସୁନିଧିଙ୍କ ପିତା ଜଣେ ଥିଏଟର କଳାକାର ଥିଲେ। ସୁନିଧି ୪ ବର୍ଷ ବୟସରୁ ଷ୍ଟେଜ ଶୋ’ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ। ୧୬ ବର୍ଷ ବୟସରେ ସୁନିଧିଙ୍କୁ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ତାଙ୍କ ଫିଲ୍ମ ‘ମସ୍ତ’ରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମର ସମସ୍ତ ଗୀତ ସୁପରହିଟ୍‌ ହୋଇଥିଲା। ୨୦୧୩ରେ ଏସିଆର ଟପ୍‌ ୫୦ ସେକ୍ସିଏଷ୍ଟ ଲେଡିଜରେ ସୁନିଧି ସ୍ଥାନ ପାଇଥିଲେ। ସୁନିଧିଙ୍କ ପ୍ରକୃତ ନାମ ନିଧି ଚୌହାନ କିନ୍ତୁ କଲ୍ୟାଣଜୀଙ୍କ ଏକାଡେମୀରୁ ବାହାରିଥିବା ସମସ୍ତଙ୍କ ନାମ‘S’ ରୁ ଆରମ୍ଭ ହୋଇଥିବାରୁ ସେ ସୁନିଧି ହୋଇଥିଲେ।

‘ରୁକି ରୁକି ସି ଜିନ୍ଦେଗୀ’ ପାଇଁ ସୁନିଧିଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା। ସୁନିଧି ବର୍ତ୍ତମାନ ୩୦୦୦ରୁ ଅଧିକ ଗୀତ ଗାଇଛନ୍ତି। ସୁନିଧିଙ୍କ କ୍ୟାରିୟର ବହୁତ ଭଲ ଥିଲା। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଘଟିଥିଲା। ସୁନିଧି ତାଙ୍କଠାରୁ ୧୪ ବର୍ଷ ବଡ଼ ନିର୍ଦ୍ଦେଶକ ବବି ଖାନ୍‌ଙ୍କୁ ୧୮ ବର୍ଷ ବୟସରେ ବିବାହ କରିଥିଲେ। ମାତ୍ର ଦୁଇ ଜଣଙ୍କ ବୈବାହିକ ଜୀବନ ବେଶୀଦିନ ତିଷ୍ଠି ନ ଥିଲା। ବିବାହର ୧ ବର୍ଷ ପରେ ଦୁଇଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା।

ପୁଣି ଥରେ ୯ ବର୍ଷ ପରେ ସଙ୍ଗୀତ ନିର୍ଦ୍ଦେଶକ ହିତେଶ ସୋନିକଙ୍କୁ ବିବାହ କରିଥିଲେ। ସୁନିଧିଙ୍କଠାରୁ ହିତେଶ ମଧ୍ୟ ୧୪ ବର୍ଷ ବଡ଼। ହିତେଶ ସୁନିଧିଙ୍କର ପିଲାଦିନର ବନ୍ଧୁ ଥିଲେ। ଉଭୟ ୧୫ ବର୍ଷ ଧରି ପରସ୍ପରକୁ ଜାଣିଥିଲେ। ତାଙ୍କ ସହ ହିତେଶଙ୍କ ସମ୍ପର୍କ ଠିକ୍‌ ନୁହେଁ ବୋଲି କୁହାଯାଉଥିଲା କିନ୍ତୁ ପରେ ହିତେଶ ସମସ୍ତ ଗୁଜବକୁ ବନ୍ଦ କରିଦେଇଥିଲେ। ୧ ଜାନୁୟାରୀ ୨୦୧୮ରେ ସୁନିଧି ପୁଅ ତେଗ୍‌ଙ୍କୁ ଜନ୍ମ ଦେଇଛନ୍ତି।

Share