Categories: ଖେଳ

୯ମ ଶ୍ରେଣୀରେ ଫେଲ୍‌ ହୋଇଯାଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ମ୍ୟାଗି ଖାଇ କାଟୁଥିଲେ ରାତି

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ ସହ ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ପ୍ରସିଦ୍ଧ। ରବିବାର ସେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଫଳରେ ଦେଶବିଦେଶର ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୩, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିଲେ ପାଣ୍ଡ୍ୟା। କ୍ରିକେଟର୍‌ ହେବା ପାଇଁ ପାଣ୍ଡ୍ୟାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ପାଠପଢାରେ ସେ ସେତେଟା ଉତ୍ତମ ନ ଥିଲେ। ୯ମ ଶ୍ରେଣୀରେ ଫେଲ୍‌ ହେବାରୁ ସେ ପାଠପଢା ଛାଡି ଦେଇଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କୃନାଲ ବହୁ କଷ୍ଟରେ କିରଣ ମୋରେ କ୍ରିକେଟ ଏକାଡେମୀରେ କ୍ରିକେଟ୍‌ ଶିଖିବା ଆରମ୍ଭ କଲେ। ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିଥିଲେ ଟଙ୍କା ଅଭାବରୁ ଅଧିକାଂଶ ସମୟରେ ମ୍ୟାଗି ଖାଇ ରାତି ବିତାଉଥିଲେ। ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ୨୦୧୬ ଏକଦିବସୀୟ ଏବଂ ୨୦୧୭ରେ ଭାରତ ପାର୍ଇ ଟେଷ୍ଟ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ। ଏବେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍‌ ଖେଳୁଛନ୍ତି। ନିକଟରେ ସେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତବର୍ଷ ଜାନୁଆରୀରେ ସେ ମଡେଲ୍‌ ନତାଶା ଷ୍ଟାନକୋଭିକ୍‌ଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।

Share