ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରି ଗୋଟିଏ ବର୍ଷରେ ସାଇନ୍ କରିଥିଲେ ୪୦ ଫିଲ୍ମ

ମୁମ୍ବାଇ: ହିରୋ ନମ୍ବର ୱାନ, କୁଲି ନମ୍ବର ୱାନ । ଏହି ନମ୍ବର ୱାନ ନାୟକ ଜଣକ ହେଉଛନ୍ତି ବଲିଉଡର ବହୁ ପରିଚିତ ନାୟକ ଗୋବିନ୍ଦା । ଯାହା ଅଣ୍ଟା ହଲିଗଲେ ଦୋହଲିଯାଏ ଷ୍ଟେଜ । ଗୋବିନ୍ଦା ୫୮ ବର୍ଷରେ ପଦାର୍ପଣ କରିଥିଲେ ବି ଆଜିବି ସେ ସେମିତି ହିରୋ ନମ୍ବର ୱାନ୍ । ଲକ୍ଷେ ଦିଲର ଧଡକନ ଗୋବିନ୍ଦା ୨୧ ଡିସେମ୍ବର ୧୯୬୩ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଅରୁଣ କୁମାର ଆହୁଜା ଜଣେ ଅଭିନେତା ଓ ଫିଲ୍ମ ମେକର ଥିବାବେଳେ ମା’ ନିର୍ମଳା ଆହୁଜା ଜଣେ ଅଭିନେତ୍ରୀ ତଥା ଗାୟିକା ଥିଲେ । କଳାକାର ପରିବାରର ୬ ଭଉଣୀଭାଇଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ ଗୋବିନ୍ଦା । ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଚିଚି ବୋଲି ଡାକୁଥିଲେ । ତେବେ ପିତାଙ୍କ ପରାମର୍ଶ କ୍ରମେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଗୋବିନ୍ଦା । ଆଉ ସଫଳ ବି ହୋଇଥିଲେ । ଅଭିନୟ ସାଙ୍ଗକୁ ଡ୍ୟାନ୍ସରେ ସେ ହୋଇଯାଇଥିଲେ ନମ୍ବର ୱାନ୍ । ପ୍ରଥମେ ସେ ଏକ ଖାଦ୍ୟ ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ତାଙ୍କ ଅଙ୍କଲଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସେ ଅଭିନୟ କରିଥିଲେ । ଏହାପରେ ୧୯୮୫ ଜୁନ ମାସରେ ସେ ବଲିଉଡ ମୁଭି ଲଭ ୮୬ର ଶୁଟିଂ ଆରମ୍ଭ କରିଥିଲେ । ଆଉ ଜୁଲାଇ ମଧ୍ୟ ଭାଗ ସୁଦ୍ଧା ସେ ୪୦ଟି ଫିଲ୍ମ ସାଇନ୍ କରିଥିବା କୁହାଯାଏ । ଏପର୍ଯ୍ୟନ୍ତ ଏହି ନାୟକ ୧୨ଥର ଫିଲ୍ମଫେୟାର ପାଇଁ ମନୋନୀତ ହୋଇଛନ୍ତି । ଅନେକଙ୍କୁ ଜଣା ନ ଥିବ ଗୋବିନ୍ଦା ଶୁଟିଂ ସେଟରେ ହିଁ ଶୋଇଯାଆନ୍ତି । ଯେଉଁଥିପାଇଁ ନିର୍ମାତା ନିର୍ଦ୍ଦେଶକଙ୍କୁ ବହୁ ଅସୁବିଧା ହୋଇଥାଏ । ଗୋବିନ୍ଦା ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ସହ ବହୁ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ କୌଣସି କାରଣ ବଶତଃ ଏବେ ଡେଭିଡ ଓ ଗୋବିନ୍ଦାଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ।

Share