ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ

ଝାରସୁଗୁଡ଼ା ଅଫିସ,୭ା୯: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃ ଜିଲା ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁନ୍ଦରଗଡ଼ର ଟିଙ୍କୁ ଜୋତ୍‌ବା (୩୨), ସୋନି କୁମାର (୩୭), ଦଶରଥ ସୋରେନ୍‌ (୩୨), ମାଧବ ମିଞ୍ଜ ଓ ହାସନ ଖାନ୍‌। ଏମାନଙ୍କ ନିକଟରୁ ଠକେଇରେ ବ୍ୟବହୃତ ହୋଇଥିବା ଓଆର୍‌୦୨ବିପି-୦୦୫୫ନଂ. କାର୍‌, ଓଡି୧୬ଏଚ୍‌-୭୬୫୪ନଂ. ବାଇକ୍‌, ୬ ମୋବାଇଲ୍‌ ଫୋନ୍‌, ନକଲି ହନୁମାନ ପଇସା, ଆଧାର କାର୍ଡ, ଭୋଟର କାର୍ଡ, ପାନ୍‌ କାର୍ଡ ଓ ଲୁଟ୍‌ ହୋଇଥିବା ୯୦ ହଜାର ଟଙ୍କା ଜବତ କରାଯାଇଛି। ଠକେଇର ଶିକାର ହୋଇଥିବା କେନ୍ଦ୍ରାପଡ଼ାର ଠିକାଦାର ରବୀନ୍ଦ୍ର କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ଝାରସୁଗୁଡ଼ା ଟାଉନ ଥାନା ପୋଲିସ ଏକ ମାମଲା (ନଂ.୪୯୩/୨୨) ରୁଜୁକରି ତଦନ୍ତ ଚଳାଇଛି।
ଝାରସୁଗୁଡା ଏସ୍‌ଡିପିଓ ନିର୍ମଳ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଠକାମିର ଶିକାର ହୋଇଥିବା ଠିକାଦାର ଦାସ ଝାରସୁଗୁଡାରେ ରହି ବିଭିନ୍ନ ଠିକା କାମ କରନ୍ତି। ତାଙ୍କ ସହିତ ଅଭିଯୁକ୍ତ ସୋନି ବନ୍ଧୁତ୍ୱ ସ୍ଥାପନ କରି ହନୁମାନ ପଇସାର ଆନ୍ତର୍ଜାତିକ ବଜାରରେ ଚାହିଦା ରହିଛି କହି ପ୍ରଲୋଭନ ଦେଖାଇଥିଲେ। ପରେ ଲଇକେରାର ଜଣେ ବ୍ୟକ୍ତିଙ୍କ ନିକଟରେ ହନୁମାନ ପଇସା ରହିଛି ଓ ସେ ୧ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ କହୁଛନ୍ତି। ଏହାକୁ ଆମେ ଲକ୍ଷେ ଟଙ୍କାରେ ଆଣି ୬ଲକ୍ଷ ଟଙ୍କାରେ ବିକ୍ରି କରିବା। ଏହି ଟଙ୍କାକୁ ଉଭୟ ଭାଗବାଣ୍ଟି ନେବା ପାଇଁ ସୋନି ତାଙ୍କୁ କହିଥିଲେ। ଠିକାଦାର ସୋନୁଙ୍କ କଥାରେ ରାଜିହୋଇ ହନୁମାନ ପଇସା କିଣିବା ପାଇଁ ଟଙ୍କା ଯୋଗାଡ଼ କରିଥିଲେ। ଉଭୟ ୧ଲକ୍ଷ ଟଙ୍କା ଧରି ଲଇକେରା ଯାଉଥିବାବେଳେ ରାସ୍ତାରେ ୪ଜଣ ବ୍ୟକ୍ତି ଅଟକାଇ ଟଙ୍କା, ମୋବାଇଲ୍‌ ଆଦି ଲୁଟିନେଇ ଫେରାର୍‌ ହୋଇ ଯାଇଥିଲେ। ଠକାମିର ଶିକାର ହେବା ପରେ ଠିକାଦାର ଦାସ ଗତ ୨୭ ତାରିଖରେ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ର଼୍ୟାକେଟ୍‌ର ଚେର ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା ଓ ସୋନପୁର ଆଦି ଜିଲାକୁ ଲମ୍ବିଥିବା ପୋଲିସ ତଦନ୍ତରୁ ଜଣାପଡିଛି।