Categories: ଜାତୀୟ

ହଂସଖାଲି ଗଣବଳାତ୍କାର, ହତ୍ୟା: ତେଜିଲା ରାଜନୀତି

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗର ନଦୀୟା ଜିଲା ହଂସଖାଲିରେ ଜଣେ ୧୪ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ମାମଲାରେ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ ଭାଜପା ଏହି ପ୍ରସଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଟାର୍ଗେଟ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ଏକ ୫ ସଦସ୍ୟ ବିଶିଷ୍ଟ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି କମିଟି ଅପରାଧସ୍ଥଳ ପରିଦର୍ଶନ କରି ଯଥାଶୀଘ୍ର ସମ୍ଭବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ଅଧ୍ୟକ୍ଷଙ୍କ ନିକଟରେ ରିପୋର୍ଟ ଦାଖଲ କରିବ। ଇତିମଧ୍ୟରେ କାଲ୍‌କାଟା ହାଇକୋର୍ଟ ହଂସଖାଲି ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଭାରତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦେଇଛନ୍ତି।
ନବମ ଶ୍ରେଣୀର ଛାତ୍ରୀ ଗତ ୪ ତାରିଖରେ ମାମଲାର ଅଭିଯୁକ୍ତଙ୍କ ଘରକୁ ଏକ ବାର୍ଥଡେ ପାର୍ଟି ପାଇଁ ଯାଇଥିବାବେଳେ ତାଙ୍କୁ ଘୋଷାଡ଼ି ନେଇ ଗଣବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା। ଏଥିଯୋଗୁ ସେ ପ୍ରାଣ ହରାଇବା ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନ କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏପ୍ରିଲ ୧୦ରେ ହଂସଖାଲି ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଧମକ ଦିଆଯାଉଥିବାରୁ ପୀଡ଼ିତାଙ୍କ ଘର ଲୋକେ ମୁହଁ ଖୋଲି ନ ଥିଲେ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର କହିଛନ୍ତି। ସେପଟେ ଭାଜପା ପକ୍ଷରୁ ୫ ଜଣିଆ କମିଟି ଗଠନ କରାଯିବା ପରେ ଟିଏମ୍‌ସି ସାଧାରଣ ସମ୍ପାଦକ କୁନାଲ ଘୋଷ ଏହା ପଛର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭାଜପା ଶାସିତ ଉତ୍ତରପ୍ରଦେଶର ଉନ୍ନାଓ ଏବଂ ହାଥ୍‌ରସରେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଉଥିବା ନେଇ ଅଭିଯୋଗ ହେବା ସମୟରେ ମଧ୍ୟ ଗୈରିକ ଦଳ ଏପରି କମିଟି ଗଢ଼ି ସେଠାକୁ ପଠାଇବା ଉଚିତ ବୋଲି କୁନାଲ କହିଛନ୍ତି। ତେବେ ଏହି ମାମଲା ଉପରେ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗତ ୧୧ ତାରିଖରେ ମମତା ଏକ ସଭାରେ ନାବାଳିକାଙ୍କ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ସେ କହିଥିଲେ, ପୀଡ଼ିତାଙ୍କ ପରିବାର ଲୋକେ ଗଣବଳାତ୍କାର ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କହୁଛନ୍ତି। କିନ୍ତୁ ନବମ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ଥିଲେ ଓ ପରିବାରର କାହାଠାରୁ ମାଡ଼ ଖାଇବା ପରେ ପ୍ରାଣ ହରାଇଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ଟିଏମ୍‌ସି ନେତାଙ୍କ ପୁଅ ହୋଇଥିବାରୁ ସେ ଏପରି କହିଥିବା ବିରୋଧୀ ସିପିଆଇଏମ୍‌ ଅଭିଯୋଗ ଆଣି ମମତା କ୍ଷମା ମାଗନ୍ତୁ ବୋଲି ଦାବି କରିଛି। ଅପରାଧର ୭ ଦିନ ପରେ ପୋଲିସ ସମ୍ପୃକ୍ତ ନେତାଙ୍କ ପୁଅ ୨୧ ବର୍ଷୀୟ ବ୍ରଜଗୋପାଳ ଗୋଓ୍ବାଲାଙ୍କୁ ଗିରଫ କରିଛି। ଭାଜପା ନେତ୍ରୀ ତଥା ମହାଭାରତ ଧାରାବାହିକରେ ପୂର୍ବରୁ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ଏହାକୁ ଦ୍ରୌପଦୀଙ୍କ ବସ୍ତ୍ରହରଣ ଭାବେ ଅଭିହିତ କରିଛନ୍ତି।

 

 

 

Share