ମାଙ୍କଡ଼ଙ୍କ ପାଇଁ ଝୁଲନ୍ତା ଚଲାପଥ

କେନ୍ଦୁଝର,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜୁଡିଆ, କାଞ୍ଜିପାଣି ଘାଟିରେ ମାଙ୍କଡ଼ମାନେ ଖାଦ୍ୟ ପାଇଁ ବୁଲୁଥିବା ବେଳେ ଅସୁରକ୍ଷିତ ଭାବେ ଗୋଟିଏ ପାର୍ଶ୍ୱ ଜଙ୍ଗଲରୁ ଅନ୍ୟ ପାର୍ଶ୍ୱକୁ ଜାତୀୟ ରାଜପଥ ୪୯ ଦେଇ ଅତିକ୍ରମ କରିଥାନ୍ତି। ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଦୈନିକ ହଜାର ହଜାର ସଂଖ୍ୟାରେ ଭାରିଯାନ ସମେତ ବହୁ ଗାଡ଼ି ଚଳାଚଳ କରୁଥିବାରୁ ଅନେକ ସମୟରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଏଣୁ ସୁନ୍ଦରଗଡ଼ ଜିଲା ଟେନ୍‌ସା ଭଳି ଏନ୍‌ଏଚ୍‌-୪୯ର ଜୁଡିଆ ଘାଟି (ସାନଘାଗରା ନିକଟ)ରେ ବନ ବିଭାଗ ପକ୍ଷରୁ ମାଙ୍କଡ଼ମାନେ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଭୂୟଁା ଓ ଜୁଆଙ୍ଗ ପିଢ଼ ରେଞ୍ଜ୍‌ ଅଧିକାରୀ ମାନସ ମୁର୍ମୁ କହିଛନ୍ତି, ଏବେ ଦୁଇଟି ସ୍ଥାନରେ କ୍ୟାନୋପି ବ୍ରିଜ୍‌ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଉକ୍ତ ରାସ୍ତାର ତଣ୍ଡିଯୋଡ଼ା ନିକଟରେ ଆଉ ଏକ ନିର୍ମାଣ ହେବ। ଏହାଦ୍ୱାରା ମାଙ୍କଡ଼ମାନେ ଉକ୍ତ ବ୍ରିଜ୍‌ ଦ୍ୱାରା ପାର ହୋଇ ଜଙ୍ଗଲକୁ ଯିବେ। ଏହି ଚଲାପଥ ଦ୍ୱାରା ମାଙ୍କଡ଼ ସୁବିଧାରେ ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଏନ୍‌ଏଚ୍‌ ଅତିକ୍ରମ କରି ଯାଇପାରିବେ। ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି, ଖାଦ୍ୟାଭାବ ଯୋଗୁ ମାଙ୍କଡ଼ମାନେ ରାସ୍ତାକଡ଼କୁ ଚାଲି ଆସୁଛନ୍ତି। ଏଣୁ ଜଙ୍ଗଲରେ ଫଳ, କୋଳି ଆଦି ସେମାନଙ୍କ ଖାଦ୍ୟ ଉପଯୋଗୀ ଗଛ ଲଗାଇଲେ ସେମାନେ ରାସ୍ତାକୁ ଆସିବେ ନାହିଁ। ଅନ୍ୟପକ୍ଷେ ଖାଦ୍ୟ ବ୍ୟବସ୍ଥା କରା ନ ଯାଇ ଏଭଳି ଝୁଲନ୍ତା ରାସ୍ତା ବା କ୍ୟାନୋପି ବ୍ରିଜ୍‌ ନିର୍ମାଣ କରାଗଲେ ସେମାନଙ୍କ ଦୁର୍ଘଟଣାଜନିତ ସମସ୍ୟା ରୋକାଯାଇ ପାରିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।