ହଷ୍ଟେଲରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

କୋରେଇ/ରଗଡ଼ି,୨୯ା୩(ଡି.ଏନ.ଏ.): ମନରେ ଭରି ରହିଥିଲା ଅମାପ ସ୍ବପ୍ନ। ଜଣେ ଭଲ ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ଅନଟନକୁ ଦୂର କରିବେ ବୋଲି ସେ ବହୁ ଆଶା ବାନ୍ଧିଥିଲେ ା ସେଥିପାଇଁ ସେ ମନପ୍ରାଣ ଦେଇ ଇଲେକ୍ଟ୍ରିକାଲ ଡିପ୍ଲୋମାରେ ଶିକ୍ଷା ଲାଭ କରୁଥିଲେ। ନାମିଦାମୀ କମ୍ପାନୀର ୪ କ୍ୟାମ୍ପସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜଣେ ମେଧାବୀ ଛାତ୍ରୀ ଭାବେ ସେ ବେଶ ପରିଚିତ ହୋଇଥିଲେ। ହେଲେ ଚାକିରୀ କରିବା ପୂର୍ବରୁ ଯାଜପୁର ସରକାରୀ ପଲିଟେକ୍‌ନିକ କଲେଜ ବିରଜା ହଷ୍ଟେଲ ଛାତ୍ରୀ ରୋଜାଲିନ ପାତ୍ର(୧୮)ଙ୍କ ମୃତ୍ୟୁ ଘଟିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ା ମଙ୍ଗଳବାର ହଷ୍ଟେଲ ରୁମରୁ ରୋଜାଲିନଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ଏନେଇ କୋରେଇ ଥାନା ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨, ୨୯୪, ୫୦୭, ୩୪ରେ ଏକ ଏକ ମାମଲା(ନଂ.୮୦/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି ା ସାଇଣ୍ଟିଫିକ ଟିମ୍‌ ସହିତ ପୋଲିସ ତଦନ୍ତ ଜାରି ରଖିଛି ବୋଲି ଏସ୍‌ଡିପିଓ ସୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ମାଟ୍ରିକ ପରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ରଗଡ଼ି ସରକାରୀ ପଲିଟେକ୍‌ନିକ୍‌ କଲେଜରେ ନାମ ଲେଖାଇଥିଲେ। ସେ ପ୍ରଥମ ବର୍ଷରୁ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ ଥିଲେ। ଏଥିପାଇଁ କେତେଜଣ ଛାତ୍ରୀଛାତ୍ର ତାଙ୍କୁ ଇର୍ଷା କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି। ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି, ସେହି କଲେଜର ଜଣେ ଛାତ୍ର ଓ ୨ ଛାତ୍ରୀ ରୋଜାଲିନଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ହ୍ବାଟ୍‌ସଆପ୍‌ରେ ଏହି ୩ ଜଣ ରୋଜାଲିନଙ୍କୁ ଅଶ୍ଲୀଳ ମେସେଜ କରୁଥିଲେ। ଘଟଣା ଦିନ ରାତି ପ୍ରାୟ ୯ ଟା ସମୟରେ ରୋଜଲିନ ତାଙ୍କ ବାପାଙ୍କୁ ଫୋନ କରି ଏଇଠୁ ମୋତେ ନେଇଯାଅ ବୋଲି କହିଥିଲେ। ସେହି ଛାତ୍ରୀଛାତ୍ରମାନେ ରୋଜାଲିନଙ୍କୁ ମାରି ପଙ୍ଖାରେ ଝୁଲାଇ ଦେଇଛନ୍ତି ବୋଲି ବାପା ଅମୂଲ୍ୟ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ା ଅନ୍ୟପକ୍ଷେ ଏ ସଂକ୍ରାନ୍ତରେ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ କେବେ ଅଭିଯୋଗ କରି ନ ଥିବା କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ପୃଷ୍ଟି କହିଛନ୍ତି । ରୋଜାଲିନ୍‌ ୪ କ୍ୟାମ୍ପସ ପାଇଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି ଅଧ୍ୟକ୍ଷ ପୃଷ୍ଟି ସୂଚନା ଦେଇଛନ୍ତି । ରୋଜାଲିନ୍‌ଙ୍କ ରୁମ୍‌ ଭିତର ପଟୁ ବନ୍ଦ ଥିଲା ା ସକାଳୁ ତାଙ୍କୁ ଡାକିବାରୁ ସେ କବାଟ ଖୋଲି ନ ଥିଲେ । ସନ୍ଦେହ ହେବାରୁ କଲେଜ ଅଧ୍ୟକ୍ଷ କୋରେଇ ପୋଲିସକୁ ଖବର ଦେଇଥିଲେ । କୋରେଇ ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ କବାଟ ଭଙ୍ଗାଯାଇଥିଲା ା ରୁମରେ ଥିବା ଫ୍ୟାନରେ ନିଜର ଚୁନିରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ା ଏହାପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ହଷ୍ଟେଲରେ ପହଞ୍ଚତ୍ବା ପରେ ମୃତଦେହକୁ ତଳକୁ ଅଣାଯାଇଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି ା