ଅର୍ଥନୀତିକୁ ସୁଦୃଢ଼ କରିବାରେ ହସ୍ତତନ୍ତର ଅବଦାନ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, ୮ା୮(ସୁନିତ୍‌ ମିଶ୍ର): ଆମ ଦେଶ ତଥା ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ହସ୍ତକଳାର ସ୍ବତନ୍ତ୍ର ପରିଚୟ ରହିଛି। ଜାତୀୟ ହସ୍ତତନ୍ତ ଦିବସ ଭାରତରେ ହସ୍ତତନ୍ତ କାରିଗରିର ବର୍ଷ ବର୍ଷ ଧରି ପୁରାତନ ପରମ୍ପରାକୁ ସ୍ମରଣ କରାଇଥାଏ। ଦେଶର ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ବୀକାର କରିବାର ଏହା ଅବକାଶ ସୃଷ୍ଟି କରିଥାଏ। ଭାରତର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ ରଖିବାରେ ହସ୍ତତନ୍ତ ପୋଷାକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସିଛି। କୃଷି ସହ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ହସ୍ତତନ୍ତର ଅବଦାନ ରହିଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।
ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ),ଓଡିଶା ଆଞ୍ଚଳିକ ଶାଖା ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହସ୍ତତନ୍ତ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ୩ ଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀ ଷ୍ଟଲ୍‌କୁ ସୋମବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି କହିଛନ୍ତି ଯେ, ଆମ ବୁଣାକାରମାନେ ବୁଣୁଥିବା ଶାଢ଼ିଠାରୁ ଆରମ୍ଭକରି କୁମ୍ଭକାରମାନେ ତିଆରି କରୁଥିବା ମାଟିସାମଗ୍ରୀ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଅଧୁନା ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ବହୁଳ ଭାବେ ଅନ୍ୟ ସବୁପ୍ରକାରର ପୋଷାକ ଉତ୍ପାଦନ ହେବା ଫଳରେ ହସ୍ତତନ୍ତ ଉତ୍ପାଦ ପ୍ରସ୍ତୁତିରେ ପ୍ରଭାବ ପଡ଼ିଛି। ଆମର ପ୍ରାଚୀନ ହସ୍ତତନ୍ତ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ଆମ ସମସ୍ତଙ୍କୁ ଏଥିପ୍ରତି ଆଗ୍ରହ ପ୍ରକାଶ କରିବାର ଆବଶ୍ୟକତା ରହିଛି। ହସ୍ତତନ୍ତ ବସ୍ତ୍ର ବ୍ୟବହାର ଫଳରେ ଅନନ୍ୟ ଅନୁଭବ ମିଳେ। ଏସବୁ ଉତ୍ପାଦଗୁଡ଼ିକ ଜଳବାୟୁ ଉପଯୋଗୀ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ମହିଳା ଘରେ ଘରେ ହସ୍ତତନ୍ତ ଶାଢ଼ି ବ୍ୟବହାର କରିବାକୁ ମୁଖ୍ୟ ଶାସନ ସଚିବ ଆହ୍ବାନ ଦେଇଛନ୍ତି। ଏହି ପ୍ରଦର୍ଶନୀରେ ନାବାର୍ଡ ସହାୟତାରେ ପରିଚାଳିତ ଖୋର୍ଦ୍ଧା, କଟକ, ସମ୍ବଲପୁର, ଯାଜପୁର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଆଦି ଜିଲାରୁ ୭ଟି ହସ୍ତତନ୍ତ ଉତ୍ପାଦକ ସଂଘ ଅଂଶଗ୍ରହଣ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୧ ବ୍ୟାଚ୍‌ର ୫ ଜଣ ଆଇଏଏସ୍‌ ପ୍ରୋବେସନର ମଧ୍ୟ ଅତିଥିଭାବେ ଉପସ୍ଥିତ ଥିଲେ। ୨୦ରୁ ଅଧିକ ଯୁବତୀ, ଯୁବକ ହସ୍ତତନ୍ତ ପୋଷାକ ପରିଧାନ କରି ଆୟୋଜିତ ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିଥିଲେ। ନାବାର୍ଡ, ଭୁବନେଶ୍ୱର ଆଞ୍ଚଳିକ ଶାଖାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।